ମୁଖାପିନ୍ଧା ଚୋର ଆତଙ୍କ: ଗୋଟିଏ ରାତିରେ ୨ ଘରେ ବୁଲାଇଲେ କଳାକନା

କେନ୍ଦୁଝର,୨୬ା୩(ସ୍ବ.ପ୍ର.): କେନ୍ଦୁଝର ସହରର ବଳଦେବଜୀଉ କଲୋନୀ ଲେନ୍‌ ୬ ଏବଂ ଲେନ୍‌ ୭ରେ ଶନିବାର ବିଳମ୍ବିତ ରାତିରେ ଦୁଇ ଜଣ ଲୋକଙ୍କ ଘରୁ ଚୋରି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ବନ ବିଭାଗ ପକ୍ଷରୁ ଟାଉନ ଥାନାରେ ରବିବାର ଲିଖିତ ଅଭିଯୋଗ କରିଛନ୍ତି। ସେମାନେ ହେଲେ ଉପତ୍ଳ କୁମାର ରାୟ ଏବଂ ଶୁଭମ କାହାଳି। ଚୋର ମାନେ ପରିବାର ଲୋକଙ୍କୁ ଶୋଇଥିବା ରୁମ୍‌ ବାହାରୁ ତାଲା ପକାଇ ଲୁଟ୍‌ କରିଥିଲେ। ଏଣୁ ଶୋଇବା ଘରେ ଥିବା ମୂଲ୍ୟବାନ ସାମଗ୍ରୀ ଲୁଟି ପାରିନାହାନ୍ତି।

ପ୍ରକାଶ ଯେ, ୪ ଜଣ ସଶସ୍ତ୍ର ମୁଖାପିନ୍ଧା ଡକାୟତ ଶନିବାର ରାତିରେ ଲେନ୍‌-୭ରେ ରହୁଥିବା ଶୁଭମ୍‌ କାହାଳିଙ୍କ ଘରକୁ ପାଚେରି ଡେଇଁ ପଶିଥିଲେ। ଝରକା ତାଡ଼ି ୫ ହଜାର ଟଙ୍କା ହୋଇଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି। ଏହା ପରେ ସେମାନେ ଏହି ଘରର ପଛ ପଟ ଲେନ୍‌-୬ରେ ରହୁଥିବା ଉତ୍ପତ୍ଳ ରାୟଙ୍କ ପାଚେରିରେ ଲାଗିଥିବା ଲୁହା ତାର ଜାଲି କାଟିବା ପରେ ଘର ପରିସରକୁ ଯାଇଥିଲେ। ସେଠାରେ ଗୋଟିଏ ରୁମ୍‌ର ଝରକା ଗ୍ରିଲ୍‌ ତାଡି ଘର ଭିତରକୁ ପ୍ରବେଶ କରିଥିଲେ। ଏହା ପରେ ଉକ୍ତ ଘର କବାଟ ଭିତର ପଟୁ ବନ୍ଦ କରି ସୁନା ଏବଂ ଅନ୍ୟ ସାମଗ୍ରୀ ଖୋଜି ଖୋଜ ନ ପାଇ ପର୍ସରେ ଥିବା ୧୦ ହଜାର ଟଙ୍କା ନେଇ ପଳାଇଥିଲେ। ତାଙ୍କ ଘରେ ମଧ୍ୟ ଅନ୍ୟ ରୁମ୍‌ରେ ପରିବାର ଲୋକ ଥିବାରୁ କେବଳ ଗୋଟିଏ ରୁମରୁ ଚୋରି କରିଥିଲେ। ଦୁଇଟି ଅଭିଯୋଗ ଆଧାରରେ ଟାଉନ ପୋଲିସ ୨୬/୨୩ରେ ଦୁଇଟି ମାମଲା ରୁଜୁ କରି ଡକାୟତମାନଙ୍କୁ ଠାବ କରିବାକୁ ତନାଘନା ଉଦ୍ୟମ ଚଳାଇଥିବା ଜଣାପଡ଼ିଛି। ସିସିଟିଭି ଫୁଟେଜ ଆଧାରରେ ଟାଉନ ପୋଲିସ ଚୋରଙ୍କୁ ଧରିବାକୁ ଜୋରଦାର ଉଦ୍ୟମ ଜାରି ରଖିଛି। ମାରଣାସ୍ତ୍ର ଧରି ମୁଖା ପିନ୍ଧା ଚୋରଙ୍କ ଆତଙ୍କ ପରେ କେନ୍ଦୁଝର ସହରରେ ଭୟର ବାତାବରଣ ଖେଳିଯାଇଛି। ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ଏହି ଘଟଣାରେ ସଂପୃକ୍ତ ଚୋରଙ୍କୁ ତୁରନ୍ତ ଧରିବାକୁ ସ୍ଥାନୀୟ ଲୋକେ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଦାବି କରିଛନ୍ତି।