ମୁଖ୍ୟ ଚିକିତ୍ସାଳୟ ପରିସର ଏବେ ଡମ୍ପିଂୟାର୍ଡ

ଖୋର୍ଦ୍ଧା ଅଫିସ,୨୯ା୯: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌) ମୁକ୍ତ ଡମ୍ପିଂୟାର୍ଡ ପାଲଟିଛି। ମେଡିକାଲ ବର୍ଜ୍ୟବସ୍ତୁ ଏଣେତେଣେ ପଡୁଛି। ମୃତଦେହ ବ୍ୟବଚ୍ଛେଦ ଗୃହ ଏବଂ ଟିକାକରଣ କେନ୍ଦ୍ର ପଛପଟେ ବର୍ଜ୍ୟବସ୍ତୁ ଗଦା ହୋଇରହିଛି। ଦୈନିକ ମେଡିକାଲରୁ ବାହାରୁଥିବା ବର୍ଜ୍ୟବସ୍ତୁ ଏକ ମୁକ୍ତ ଅସ୍ଥାୟୀ ସ୍ଥାନରେ ଗଦା ହେଉଥିଲା। ଏଠାରୁ ପୌର କର୍ମଚାରୀମାନେ ଆସି ଏହାକୁ ଉଠାଇ ନେଇଯାଉଥିଲେ। ତେବେ ଏହି ଅସ୍ଥାୟୀ ସ୍ଥାନକୁ ମେଡିକାଲ କର୍ତ୍ତୃପକ୍ଷ ଭାଙ୍ଗିଦେଇଛନ୍ତି। ଫଳରେ ମେଡିକାଲ ବର୍ଜ୍ୟବସ୍ତୁକୁ ମନଇଚ୍ଛା ଯେଉଁଠି ସେଇଠି ଖାଲି ସ୍ଥାନରେ ଫିଙ୍ଗାଯାଉଛି। ସାଧାରଣତଃ ମେଡିକାଲରୁ ସାଲାଇନ, ଛୁଞ୍ଚିି, ଏକ୍ସପାଏରି ଔଷଧ, ଗଜ୍‌ କପଡ଼ା, କଟନ, ଅସ୍ତ୍ରୋପଚାରରେ ବ୍ୟବହୃତ ସାମଗ୍ରୀ ଏବଂ ରୋଗୀଙ୍କ ଦ୍ୱାରା ବ୍ୟବହୃତ ପଇଡ଼, ଖାଦ୍ୟ ସାମଗ୍ରୀ, ପଲିଥିନ, ଖବରକାଗଜ ପ୍ରଭୃତି ଦୈନିକ ୩ରୁ ୪ ଟନ୍‌ ବାହାରିଥାଏ। ତେବେ ଗତ ଦୁଇ ସପ୍ତାହ ହେଲା ଜିଲା ମୁଖ୍ୟ ଚିକିତ୍ସାଳୟରୁ ବାହାରୁଥିବା ବର୍ଜ୍ୟବସ୍ତୁ ଗୋଟିଏ ଜାଗାରେ ପକାଇବା ପରିବର୍ତ୍ତେ ଏଣେତେଣେ ପକାଯାଉଛି। ଫଳରେ ପରିବେଶ ପ୍ରଦୂଷିତ ହେବା ସହ ମ୍ୟାଲେରିଆ, ଡେଙ୍ଗୁ ବ୍ୟାପିବା ଆଶଙ୍କା ପ୍ରକାଶ ପାଇଛି। ମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନା ନେଇ କୌଣସି ସ୍ଥାୟୀ ସମାଧାନ କରାଯାଉନାହିଁ। ଫଳରେ ଏଠାରେ ବର୍ଜ୍ୟବସ୍ତୁ ଦୀର୍ଘ ଦିନ ପଡ଼ି ରହି ପଚିଶଢି ଦୁର୍ଗନ୍ଧ ବାହାରୁଛି। ଏ ନେଇ ଡିଏମ୍‌ଓ (ମେଡିକାଲ) ବିଶ୍ୱମୋହନ ମିଶ୍ର କହିଛନ୍ତି, ପୂର୍ବରୁ ଏକ ଖୋଲାସ୍ଥାନରେ ଚାରିପଟୁ ୫ଫୁଟ କାନ୍ଥ ଉଠାଯାଇ ବର୍ଜ୍ୟବସ୍ତୁ ପୃଥକ ଭାବେ ପକାଯାଉଥିଲା। ଏହି ବର୍ଜ୍ୟବସ୍ତୁ ଉଠାଇବା ପାଇଁ ପୌର ପ୍ରଶାସନ ସହ ଏକ ଚୁକ୍ତିନାମା ହୋଇଥିଲା। ସେହି ଆଧାରରେ ମାସିକ ୧୫ରୁ ୧୮ଶହ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦିଆଯାଉଥିଲା। ମେଡିକାଲରେ ବିଭିନ୍ନ କୋଠା ନିର୍ମାଣ ଯୋଗୁ ଏହି ଅସ୍ଥାୟୀ ଶେଡ୍‌କୁ ଭାଙ୍ଗିଦିଆଯାଇଛି। ତେବେ ଏଣେତେଣେ ବର୍ଜ୍ୟବସ୍ତୁ ନ ପକାଇ ଏହାକୁ ଗୋଟିଏ ସ୍ଥାନରେ ପକାଇବା ପାଇଁ କୁହାଯାଇଛି। ଏହାର ସୁପରିଚାଳନା ପାଇଁ ଗୁରୁତ୍ୱ ଦିଆଯିବ।