ଷ୍କ୍ରାପ ବେପାରରେ ମୁଖ୍ୟ ଅଭିଯୁକ୍ତ ଗିରଫ, ବେପାରୀଙ୍କୁ ଛାଡିଦେଲା ପୋଲିସ

କେନ୍ଦୁଝର,୨୮।୪(ସ୍ବ.ପ୍ର.): କେନ୍ଦୁଝରରେ ଛତୁ ଫୁଟିଲା ଭଳି ଷ୍କ୍ରାପ ବ୍ୟବସାୟ ଚାଲିଥିବା ବେଳେ ଷ୍କ୍ରାପ ବେପାର ନାମରେ କିପରି ଚାଲିଛି ଚୋରା କାରବାର ତାହାର ଏକ ନମୁନା ଆଜି କେନ୍ଦୁଝରରେ ଦେଖିବାକୁ ମିଳିଛି। ଏକ ରୋଡ ରୋଲରକୁ ଜଣେ ଷ୍କ୍ରାପ ବେପାରୀ ଖଣ୍ଡ ଖଣ୍ଡ କରି କାଟି ବିକ୍ରି କରିବାକୁ ଉଦ୍ୟମ ବେଳେ ଟାଉନ ଥାନା ଉକ୍ତ ବେପାରୀଙ୍କ ସହିତ ଅନ୍ୟ ଜଣଙ୍କୁୁ ଅଟକ ରଖି ତଦନ୍ତ କରିଥିଲା।

ଏ ନେଇ ଟାଉନ ଥାନା ପୋଲିସ ଏକ ମାମଲା (ନମ୍ବର ୧୭୨/୨୦୨୩) ଦଫା ୪୨୦ରେ ମୁଖ୍ୟ ଅଭିଯୁକ୍ତ ମୁକେଶ କୁମାର ଝାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ପଚରା ଉଚୁରା ପରେ ସ୍କ୍ରାପ ବେପାରୀଙ୍କୁ ପୋଲିସ ଛାଡ଼ି ଦେଇଥିବା ସୂଚନା ମିଳିଛି। ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳର ଅତୁଲ କୁମାର ବେହେରାଙ୍କ ଏତଲା କ୍ରମେ ଏହି ମାମଲା ରୁଜୁ ହୋଇଥିବା ପୋଲିସ ସୂଚନା ଦେଇଛି। ସ୍ଥାନୀୟ ବଡହଳ ନିକଟ ଏକ ଷ୍କ୍ରାପ ଗୋଦାମରୁ ଏକ ରୋଲର ମିଳିବା ପରେ ଘଟଣା ପଦାକୁ ଆସିଥିଲା। ଉକ୍ତ ରୋଲରଟି ରାଇରଙ୍ଗପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଜଣାପଡିଛି। ଏହି ଘଟଣା ପରେ ଏଠାରେ ଚାଲିଥିବା ରୋଲର ଷ୍କ୍ରାପ କାରବାରର ଗୁମୁର ଧୀରେ ଧୀରେ ଫିଟିବାରେ ଲାଗିଛି। ଫଳରେ ସହରରେ ଚାଲିଥିବା ଷ୍କ୍ରାପ ବେପାରୀମାନଙ୍କ କାମ କାର୍ଯ୍ୟ ଉପରେ ସନ୍ଦେହ ସୃଷ୍ଟି କରିଛି।