Categories: ବାଣିଜ୍ୟ

ରାଷ୍ଟ୍ରାୟତ୍ତ ଉଦ୍ୟୋଗଙ୍କ କ୍ଷତି ୧.୪ ଲକ୍ଷ କୋଟି

 

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର କ୍ଷତି ବଢ଼ି ଚାଲିଛି। ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ ୧୮୯ ରାଷ୍ଟ୍ରାୟତ୍ତ କମ୍ପାନୀ ୧.୪୦ ଲକ୍ଷ କୋଟି ଟଙ୍କା କ୍ଷତି ସହିଥିବା କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟରୁ ସାମ୍ନାକୁ ଆସିଛି। ଏହି କମ୍ପାନୀଗୁଡ଼ିକର କ୍ଷତିକୁ ଦେଖିଲେ ମୋଟ ୭୭ ସଂସ୍ଥାଙ୍କ ମୋଟ ମୂଲ୍ୟଠାରୁ କ୍ଷତି ଅଧିକ ରହିଛି। ଏହି କମ୍ପାନୀଗୁଡିକର ମୋଟ ନେଟ୍‌ ମୂଲ୍ୟ ୮୩,୩୯୪ କୋଟି ନକାରାତ୍ମକ ରହିଛି। ୭୭ ଫାର୍ମ ମଧ୍ୟରୁ ୧୫ଟି କମ୍ପାନୀ ୨୦୧୮-୧୯ରେ ୬୬୨ କୋଟି ଟଙ୍କା ଲାଭ ଘୋଷଣା କରିଛନ୍ତି। ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଉକ୍ତ କମ୍ପାନୀଗୁଡିକରେ ଇକ୍ୱିଟି ନିବେଶ ୪୦,୦୦୫ କୋଟି ଟଙ୍କା ରହିଛି। ସେହିଭଳି ସୂଚୀଭୁକ୍ତ ହୋଇଥିବା ୬ କମ୍ପାନୀର ନେଟ୍‌ ଓର୍ଥ (-)୩୫, ୮୬୦ କୋଟି ଟଙ୍କା ରହିଛି। ଏହି କମ୍ପାନୀଗୁଡିକରେ ୬୬୮୫ କୋଟି ଟଙ୍କା ଇକ୍ୱିଟି ନିବେଶ ହୋଇଥିବା ରିପୋର୍ଟରେ କୁହାଯାଇଛି।
ଏୟାର ଇଣ୍ଡିଆର ନେଟ୍‌ ଓର୍ଥ (-)୨୪,୮୯୩ କୋଟି ଟଙ୍କା ରହିଛି। ପାର୍ଲାମେଣ୍ଟରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟରେ କୁହାଯାଇଛି, ୨୦୧୮-୧୯ରେ ୨୪୭ ସରକାରୀ କମ୍ପାନୀ ଏବଂ ନିଗମ ୧.୭୭ ଲକ୍ଷ କୋଟି ଟଙ୍କା ଲାଭ କରିଥିଲେ। ଏହାର ୬୭%(୧.୨୯ ଲକ୍ଷ କୋଟି) ପେଟ୍ରୋଲିୟମ, ଲିଗ୍‌ନାଇଟ ଏବଂ ଶକ୍ତି ଭଳି କ୍ଷେତ୍ରରେ ରହିଥିବା ୬୩ ସରକାରୀ କମ୍ପାନୀ ଏବଂ ନିଗମଗୁଡିକ ରଖିଛନ୍ତି। ସେହିଭଳି ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନରେ ରହିଥିବା କମ୍ପାନୀଗୁଡିକ ୨୯,୨୬୨ କୋଟି ଟଙ୍କା ଲାଭାଂଶ ପ୍ରଦାନ କରିଛନ୍ତି। ମୋଟ ସରକାରୀ କମ୍ପାନୀଗୁଡ଼ିକର ଲାଭାଂଶର ଏହା ୪୦.୭୪%।
୨୦୧୮-୧୯ରେ ୩୬ ରାଷ୍ଟ୍ରାୟତ୍ତ କମ୍ପାନୀ ସରକାରଙ୍କ ଲାଭାଂଶ ପ୍ରଦାନ ନିୟମକୁ ପାଳନ ନ କରିବାକୁ ରାଜକୋଷକୁ ୮,୦୧୧ କୋଟି ଟଙ୍କା କ୍ଷତି ହୋଇଛି। ଏହି ଆର୍ଥତ୍କ ବର୍ଷରେ ୧୫୭ କମ୍ପାନୀ କ୍ଷତି ସହିଛନ୍ତି। ୨୦୧୮-୧୯ରେ ଏହି କମ୍ପାନୀଗୁଡିକ ୩୭,୩୧୦ କୋଟି ଟଙ୍କା କ୍ଷତି ସହିଥିବା ବେଳେ ୨୦୧୭-୧୮ରେ ୪୧,୧୮୦ କୋଟି ଟଙ୍କା କ୍ଷତି ସହିଛନ୍ତି।

Share