ପୂରଣ ହେଉନି ଋଣ ଲକ୍ଷ୍ୟ

ଢେଙ୍କାନାଳ ଅଫିସ,୧୭ା୩: ଢେଙ୍କାନାଳ ଜିଲାରେ ଚାଷୀଙ୍କୁ ଋଣ ପ୍ରଦାନ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ୨୦୨୧-୨୨ ଆର୍ଥତ୍କ ୧୭୦୫.୫୧ କୋଟି ଟଙ୍କା କୃଷିଋଣ ପ୍ରଦାନ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ମାତ୍ର ୬୧୦.୬୫ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି, ଯାହା ଲକ୍ଷ୍ୟଠାରୁ ୬୪% କମ୍‌। ଅଣ କୃଷିକ୍ଷେତ୍ରରେ ମଧ୍ୟ ପ୍ରଦାନ କରାଯାଇଥିବା ଋଣର ପରିମାଣ ଆଖିଦୃଶିଆ ନୁହେଁ। ଅଣଚାଷ କ୍ଷେତ୍ରରେ ୬୬୫.୧୨ କୋଟି ଟଙ୍କା ଋଣ ପ୍ରଦାନ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବାବେଳେ ଗତ ଡିସେମ୍ବର ଶେଷ ସୁଦ୍ଧା ୩୪୨.୬୮ କୋଟି ଟଙ୍କା ପ୍ରଦାନ କରାଯାଇଛି, ଯାହା ମୋଟ ଧାର୍ଯ୍ୟ ଲକ୍ଷ୍ୟର ୫୨%। ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ଲିଡ୍‌ ବ୍ୟାଙ୍କ ପରାମର୍ଶ କମିଟି ବୈଠକରୁ ଏଭଳି ତଥ୍ୟ ପଦାକୁ ଆସିଛି। ଜିଲାରେ କାର୍ଯ୍ୟକ୍ଷମ ବ୍ୟାଙ୍କ ବିଭିନ୍ନ କ୍ଷେତ୍ର ପାଇଁ ମୋଟ୍‌ ୪୮% ଋଣ ପ୍ରଦାନ କରିଛନ୍ତି। ଏହାକୁ ସର୍ବନିମ୍ନ ୬୦%କୁ ବୃଦ୍ଧି କରିବା ଦିଗରେ ଯତ୍ନବାନ ହେବାକୁ ଜିଲାପାଳ ସରୋଜ କୁମାର ସେଠୀ ବ୍ୟାଙ୍କର୍ସ ଏବଂ ଲାଇନ ଡିପାର୍ଟମେଣ୍ଟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।
ଆଲୋଚନାରେ ଭାଗନେଇ ଜିଲାପାଳ କହିଲେ, ଆଦିବାସୀ ହସ୍ତଶିଳ୍ପର ପ୍ରଚାର ପ୍ରସାର ଲାଗି ସଦର ବ୍ଲକ ସପ୍ତଶଯ୍ୟା ପଞ୍ଚାୟତର ସଦେଇବେରେଣୀରେ କଳାଗ୍ରାମ ପ୍ରତିଷ୍ଠା କରାଯାଇଛି। ଏହାର ଭିତ୍ତିଭୂମିର ବିକାଶ କରିବା ଲାଗି ବ୍ୟାଙ୍କସମୂହ ଆଗେଇ ଆସିବା ଜରୁରୀ। ଫଳରେ ଜିଲାର ହସ୍ତଶିଳ୍ପ, କୁଟୀର ଶିଳ୍ପ, ଡୋକ୍ରାଶିଳ୍ପକୁ ନୂଆ ଦିଶା ମିଳିବ। ଆଞ୍ଚଳିକ କାରିଗରଙ୍କ ରୋଜଗାର ବୃଦ୍ଧି ପାଇବ ବୋଲି ଜିଲାପାଳ ଆଶାବ୍ୟକ୍ତ କରିଛନ୍ତି। ଜିଲାରେ ଛତୁଚାଷ, କୁକୁଡ଼ା ପାଳନ, ଛେଳି ପାଳନ, ଫଳ ଚାଷ, ପରିବା ଉତ୍ପାଦନ ସମେତ ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟ ପାଇଁ ବହୁ ଉତ୍ସାହୀ ବ୍ୟକ୍ତି, ଅନୁଷ୍ଠାନ, ଗୋଷ୍ଠୀ ଇଚ୍ଛୁକ ଅଛନ୍ତି। ହେଲେ ଅର୍ଥାଭାବ ସେମାନଙ୍କ ଲକ୍ଷ୍ୟପଥରେ ପ୍ରମୁଖ ପ୍ରତିବନ୍ଧକ ସାଜିଛି। ସାମାଜିକ ସୁରକ୍ଷା ଦୃଷ୍ଟିରୁ ଏଭଳି ଉତ୍ସାହୀ ବ୍ୟକ୍ତିଙ୍କୁ ଚିହ୍ନଟ କରି ଋଣ ଯୋଗାଇ ଦେବା ଲାଗି ବିହିତ ପଦକ୍ଷେପ ନେବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ନାବାର୍ଡ ଡିଡିଏମ୍‌ ଡ. ଜ୍ଞାନେନ୍ଦ୍ର ରାଉତ, ଏଲ୍‌ଡିଏମ୍‌ ସନୋଜ କୁମାର ସିଂ, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଚିଫ୍‌ ମ୍ୟାନେଜର ମୀନକେତନ ବରାଲେବଦିଆ ପ୍ରମୁଖ ଉପସ୍ଥିତ ଥିଲେ।