ଆଲୋକୀକରଣ ଯୋଜନା ପ୍ରହସନ ପାଲଟିଛି

ନାଉଗାଁ,୨୧ା୫(ସ୍ବ.ପ୍ର.): ଗାଁ ଗହଳି ରାସ୍ତାକୁ ଆଲୋକୀକରଣ କରିବା ପାଇଁ ସରକାରଙ୍କ ତରଫରୁ ନାଉଗାଁ ବ୍ଲକରେ ଆଲୋକୀକରଣ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନା ମାଧ୍ୟରେ ପ୍ରତ୍ୟେକ ଗ୍ରାମର ରାସ୍ତା ପାର୍ଶ୍ୱ, ଗାଁ ଦାଣ୍ଡ ଆଦିରେ ଉଜ୍ୱଳ ଆଲୋକ ଲଗାଯିବାର ନିୟମ ରହିଛି। କିନ୍ତୁ ଉକ୍ତ ଲାଇଟ କିଏ ଲଗାଇଛି ଓ ଏହାର ତଦାରଖ ଦାୟିତ୍ୱ କାହା ଉପରେ ଅଛି ସେ ବିଷୟରେ ବ୍ଲକ ପ୍ରଶାସନ ପକ୍ଷରୁ ତଥ୍ୟ ମିଳୁ ନାହିଁ। ସୂଚନା ଅଧିକାର ଆଇନ ବଳରେ ଉକ୍ତ ତଥ୍ୟ ମାଗିଲେ ଏହା ଜିଲା ଗ୍ରାମ ଉନ୍ନୟନ ବିଭାଗ କାର୍ଯ୍ୟାଳୟରୁ ମିଳିପାରିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ଉତ୍ତର ଦିଆଯାଇଛି। ଅପରପକ୍ଷେ ଏସବୁ ଲାଇଟ ଲାଗିବାର ମାତ୍ର ୨ରୁ ୩ ମାସ ମଧ୍ୟରେ ଅଧିକାଂଶ ଅଚଳ ହୋଇଯାଇଛି। କିନ୍ତୁ ସେଗୁଡ଼ିକୁ ସଜଡା ଯାଉ ନ ଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଜଣେ ସାମାଜିକ କର୍ମୀ ୧୩ ମାର୍ଚ୍ଚ ୨୦୨୩ରେ ଜିଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ନାଉଗଁା ଚିଠି (ନଂ.୧୨୨୯/୧୮) ଏପ୍ରିଲ ୨୦୨୩ରେ ତତ୍କାଳୀନ ବିଡିଓ ରଶ୍ମିରେଖା ମଲ୍ଲିକ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଉକ୍ତ ରିପୋର୍ଟରେ ଦର୍ଶାଯାଇଛି, ଜିପିଓଙ୍କ ରିପୋର୍ଟ ଅନୁସାରେ ଅଚଳ ହୋଇଯାଇଥିବା ଲାଇଟ୍‌ଗୁଡ଼ିକୁ ମରାମତି କରାଯାଇ ଠିକ୍‌ ସ୍ଥାନରେ ଲଗାଯାଇଛି। ମାତ୍ର ଜିଲାପାଳଙ୍କୁ ଭୁଲ୍‌ ରିପୋର୍ଟ ଦିଆଯାଇଛି ବୋଲି ଅଭିଯୋଗ କରିଥିବା ସାମାଜିକ କର୍ମୀ ସୂଚନା ଦେଇଛନ୍ତି। କାରଣ ଏହି ରିପୋର୍ଟ ଦିଆଯିବା ପରେ ୧୬ ମେ’ରେ ପୁନର୍ବାର ଜନଶୁଣାଣିରେ ଏ ସମ୍ପର୍କରେ ଅଭିଯୋଗ ହୋଇଥିଲା। ଜାମୁଗଁା ପଞ୍ଚାୟତର ଓାର୍ଡ ନଂ. ୧, ୧୨, ୩ରେ ବିଭନ୍ନ ସ୍ଥାନରେ ଲାଇଟ୍‌ ଅଚଳ ହୋଇଯାଇଥିବା ନେଇ ସ୍ଥାନୀୟ ସାମାଜିକ କର୍ମୀ ଅନୁପ ମହାନ୍ତି ଅଭିଯୋଗ କରିଥିଲେ। କେବଳ ଏହି ପଞ୍ଚାୟତ ନୁହେଁ ବ୍ଲକର ୧୬ ପଞ୍ଚାୟତରେ ଏଭଳି ସମାନ ଅବସ୍ଥା ଦେଖିବାକୁ ମିଳିଛି। କିଛି ସ୍ଥାନରେ ନିମ୍ନମାନର ଲାଇଟ୍‌ ଲାଗିଥିବାବେଳେ ଆଉ କିଛି ସ୍ଥାନରେ ଲଗା ନ ଯାଇ ଲକ୍ଷାଧିକ ଟଙ୍କାର ବିଲ୍‌ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାର ଉଚ୍ଚସ୍ତରୟ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି। ଏବିଷୟରେ ଜିପିଓ ଦିନେଶ ରାୟଙ୍କୁ ପଚାରିବାରେ, ଅଚଳ ହୋଇ ଯାଇଥିବା ଲାଇଟକୁ ସଜାଡିବା ପାଇଁ ସରପଞ୍ଚମାନଙ୍କୁ କୁହାଯାଇଛି ବୋଲି କହିଛନ୍ତି। ତେବେ ଜିଲାପାଳଙ୍କୁ କାହିଁକି ଭୁଲ୍‌ ରିପୋର୍ଟ ଦିଆଯାଇଛି ସେ ସମ୍ପର୍କରେ କୌଣସି ଉତ୍ତର ମିଳିପାରି ନାହିଁ। ଇତିମଧ୍ୟରେ ବିଡିଓ ମଲ୍ଲିକଙ୍କ ବଦଳି ହୋଇଯାଇଥିବାରୁ ତାଙ୍କ ମତାମତ ମିଳିପାରିନାହିଁ।