ପାଣି ନାହିଁ: ଜମି ଫାଟି ଆଁ କଲାଣି

ବଡ଼ଗାଁ, ୮ା୮(ଡି.ଏନ.ଏ.): ଜମି ଫାଟି ଆଁ କରିଛି। ଯାହା ବୁଣା ହୋଇଥିଲା ସେସବୁ ନଷ୍ଟ ହୋଇଗଲା। ରୁଆ ପାଇଁ ତଳି ପକାଇଥିବା ଚାଷୀ ବର୍ଷା ଅପେକ୍ଷାରେ ରହିଲା। ବିଳମ୍ବ ଯୋଗୁ ଧାନ ରୁଆ ମଧ୍ୟ ହୋଇପାରିଲାନି। ଚାଷୀ ଉପାୟ ଶୂନ୍ୟ ହୋଇ ଆକାଶକୁ ଚାତକ ଭଳି ଚାହିଁଛି। ଜୁଲାଇ ମାସ ସରି ଅଗଷ୍ଟ ପ୍ରଥମ ସପ୍ତାହ ଗଲାଣି । କିନ୍ତୁ ମେଘ ଲୁଚକାଳି ଖେଳୁଛି। ବର୍ଷାର ନାଁ ଗନ୍ଧ ନାହିଁ। ବର୍ଷା ଅଭାବରୁ ଚାଷ କ୍ଷତି ହେଲା। ଆଉ ବିନା ବର୍ଷରେ ଆମେ ଚାଷୀ କୁଳ ଭାସିଗଲୁ ବୋଲି କୋହଭରା କଣ୍ଠରେ ଚାଷୀ କହୁଛି। ଏ ସମସ୍ୟା ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକ ଅଞ୍ଚଳର। ଏହି ବ୍ଲକ ଅଧୀନ ଇତମା ପଞ୍ଚାୟତର ନକଟୀ, ତରାସଂଘା, ଇତମା ଗ୍ରାମରେ ଅଧିକାଂଶ ଜମିରେ ପାଣି ଅଭାବରୁ ଚାଷ ହୋଇପାରିନାହିଁ। ରଥ ବେହେରା, ବିନୋଦ ଜୟପୁରିଆ, କ୍ଲାରା ଚାମ୍ପିଆ, ଜନ ଚାମ୍ପିଆ, ହିରାବତୀ ପୃଷେଟ, ରୂପନ ଜୟପୁରିଆ,ଙ୍କ ସମେତ ଶତାଧିକ ଚାଷୀ ପାଣି ଅଭାବରୁ ଧାନ ତଳି ରୋଇପାରିନାହାନ୍ତି। ମନୋଜ ପୃଷେଟ, ଘନଶ୍ୟାମ ପୃଷେଟ, ଭିକାରୀ ପୃଷେଟ, ସୁବାଷ ଚନ୍ଦ୍ର ବେହେରା, ପ୍ରେମ ସାଗର ବେହେରାଙ୍କ ସମେତ ୪୦ ଜଣ ଚାଷୀଙ୍କ ବୁଣାଧାନ ଚାଷ ନଷ୍ଟ ହୋଇଯାଇଛି।
ଚାଷୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ନକଟୀ ଓ ତରାସଂଘା ଗ୍ରାମର ମୋଟ ୪୫୦ ଏକର ଚାଷ ଜମିରୁ ମାତ୍ର ୩୦ ଏକର ଜମିରେ ବୁଣାଧାନ ହୋଇଛି । ଅନ୍ୟ ସମସ୍ତ ଜମି ପଡିଆ ରହିଛି। ସେହିପରି ଇତମା ଗ୍ରାମର ପ୍ରାୟ ୧୪୦୦ ଏକର ଚାଷ ଜମିରୁ ୫ଶହ ଏକରରେ ରୁଆ କରାଯାଇଥାଏ। ଚଳିତ ବର୍ଷ ମାତ୍ର ୩ ଏକର ଜମିରେ ରୁଆଧାନ କରାଯାଇଛି। ଏକ ହଜାର ଏକର ଜମିରେ ବୁଣା କରାଯାଇଛି। କିନ୍ତୁ ବର୍ଷା ନ ହେବାରୁ ଜମି ଫାଟି ଆଁ କରିଛି। ବୁଣା ହୋଇଥିବା ଜମିରେ ପାଣି ଅଭାବରୁ ବିହୁଡା ହୋଇପାରିନାହିଁ। ଚାଷ ସମୟ ଅତିବାହିତ ହୋଇଯାଇଥିବାରୁ ମରୁଡି ଜଳଜଳ ଦେଖାଯାଉଛି।