ଆସିବ ‘ଦ କେରଳ ଷ୍ଟୋରି’

ନୂଆଦିଲ୍ଲୀ, ୨୮।୩: କଶ୍ମୀର ପଣ୍ଡିତଙ୍କ ଉପରେ ଅତ୍ୟାଚାରର କାହାଣୀକୁ ନେଇ ନିର୍ମିତ ଫିଲ୍ମ ‘ ଦ କାଶ୍ମୀର ଫାଇଲ୍ସ’ ବକ୍ସ ଅଫିସ୍‌ରେ ରେକର୍ଡ କରିଛି। ସିନେମାଟି ବାସ୍ତବ ଘଟଣା ଉପରେ ଆଧାରିତ ହୋଇଥିବାରୁ ଲୋକେ ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି। ଏହା ପରେ ପୁଣି ଏକ ସତ୍ୟ ଘଟଣାକୁ ନେଇ ଫିଲ୍ମ ତିଆରି ହେବାକୁ ଯାଉଛି। କେରଳରେ ୧୦ ବର୍ଷ ମଧ୍ୟରେ ହୋଇଥିବା ୩୨ ହଜାର ଝିଅଙ୍କ ଅପହରଣ ଘଟଣା ଏବଂ ଏହା ପଛରେ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ସମ୍ପୃକ୍ତିକୁ ନେଇ ଏକ ଚଳଚ୍ଚିତ୍ର ବଡ଼ ପରଦାରେ ରିଲିଜ୍‌ ହେବାର ସୂଚନା ମିଳିଛି। ସୁଦୀପ୍ତ ସେନ୍‌ଙ୍କ ନିର୍ଦ୍ଦେଶନାରେ ଏହା ନିର୍ମାଣ କରାଯିବ। ଏଥିରେ ମାନବ ଚାଲାଣ, ଆଇଏସ୍‌ଆଇଏସ୍‌ ଦ୍ୱାରା ଝିଅମାନଙ୍କୁ ଉଠାଇ ନେଇ ଏହି ଆତଙ୍କବାଦୀ ସଙ୍ଗଠନ ସଦସ୍ୟଙ୍କ ସହ ବିବାହ ଏବଂ ଧର୍ମ ପରିବର୍ତ୍ତନ ଆଦି ଘଟଣାକୁ ଚଳଚ୍ଚିତ୍ରରେ ଚିତ୍ରଣ କରାଯିବ। ଫିଲ୍ମର ନାମ ‘ଦ କେରଳ ଷ୍ଟୋରି’ ରଖାଯିବ ବୋଲି ଚଳଚ୍ଚିତ୍ର ନିର୍ମାତା ଘୋଷଣା କରିଛନ୍ତି। ଫିଲ୍ମମେକର ଭିପ୍ରୁତ୍‌ ଅମୃତଲାଲ ଶାହ ଏନେଇ ୧ ମିନିଟ ୧୦ ସେକେଣ୍ଡର ଏକ ଟିଜର ଜାରି କରିଛନ୍ତି, ଯେଉଁଥିରେ କେରଳରେ ହେଉଥିବା ଅନେକ ଝିଅଙ୍କୁ ଅପହରଣ ଏବଂ ଅବୈଧ ବ୍ୟାପାର ବିଷୟରେ ଦେଖାଯାଇଛି। କେରଳରେ ଏକ ଦଶନ୍ଧିରୁ ଅଧିକ ସମୟ ଚାଲିଥିବା ଏଭଳି ଘଟଣା ଉପରେ ଫିଲ୍ମ ପାଇଁ ୩-୪ ବର୍ଷ ରିସର୍ଚ୍ଚ କରାଯାଇଥିବା ଅମୃତଲାଲ କହିଛନ୍ତି।

Share