୬ ସପ୍ତାହ ସମୟ ମାଗିଲେ ତଦନ୍ତକାରୀ ନିର୍ଦ୍ଦେଶକ

ଯାଜପୁର ଅଫିସ,୨୪।୮:  ଲୋକାୟୁକ୍ତରେ ପୂର୍ବ ନିର୍ଦ୍ଧାରିତ ଅନୁସାରେ ସୋମବାର ଆରୁହା ପାହାଡ଼ରୁ କଳାପଥର ଲୁଟ୍‌ ମାମଲାର ଚୂଡାନ୍ତ ଶୁଣାଣି ହୋଇପାରିନାହିଁ। ଦୁର୍ନୀତିର ଗଭୀରତାକୁ ଦର୍ଶାଇ ଲୋକାୟୁକ୍ତଙ୍କ ତଦନ୍ତକାରୀ ନିର୍ଦ୍ଦେଶକ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଆହୁରି ୬ ସପ୍ତାହ ସମୟ ମାଗିଛନ୍ତି। ତାହାକୁ ଲୋକାୟୁକ୍ତ ମଞ୍ଜୁର କରିଥିବାରୁ ସମ୍ପୃକ୍ତ ପଥର ମାଫିଆ ଓ ପ୍ରଶାସନିକ ଅଧିକାରୀ ଆତଙ୍କିତ ହୋଇଥିବା ଚର୍ଚ୍ଚା ହେଉଛି।
ଲୋକାୟୁକ୍ତରେ ହୋଇଥିବା ଅଭିଯୋଗ ଅନୁସାରେ ୧ା୯ା୨୦୧୭ରେ ଆରୁହା କଳାପଥର ଖାଦାନ-୧ ଲିଜ୍‌ ପାଇଁ ଧର୍ମଶାଳା ତହସିଲ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ତ୍ରିନାଥ ଜେନାଙ୍କୁ ୫ ବର୍ଷ (୨୦୧୭-୧୮ ରୁ ୨୦୨୧-୨୨) ପାଇଁ ଲିଜ୍‌ ଦିଆଯାଇଥିଲା। ଜମି ରେକର୍ଡ ଅନୁସାରେ ଆରୁହା ପାହାଡ଼ରେ ୧୫୩.୬୩୦ ଏକର କଳାପଥର ଖାଦାନ ରହିଛି। ସେଥିରୁ ଜେନାଙ୍କୁ ମାତ୍ର ୩ ଏକର ଖାଦାନ ଲିଜ୍‌ ଦିଆଯାଇଥିବାବେଳେ ଧର୍ମଶାଳା ତହସିଲଦାର ଓ ସ୍ଥାନୀୟ ପୋଲିସର ସହଯୋଗରେ ୧୦୦ ଏକରରୁ ଊର୍ଦ୍ଧ୍ୱ ଅଞ୍ଚଳରୁ କଳାପଥର ବେଆଇନ ଭାବେ ଉତ୍ତୋଳନ କରାଯାଇଛି। ତେଣୁ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରି ହୋଇଥିବା ରାଜସ୍ବ କ୍ଷତିର ଭରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଆବେଦନକାରୀ ସର୍ବେଶ୍ୱର ବେହୁରା ୧୦ା୧୨ା୨୦୨୦ରେ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ଲୋକାୟୁକ୍ତ ଯାଜପୁର ଜିଲା ପ୍ରଶାସନକୁ ଜବାବ ତଲବ କରିଥିଲେ। ଅଭିଯୋଗକାରୀ ବେହୁରାଙ୍କ କହିବା ଅନୁସାର ଇତିମଧ୍ୟରେ ଲିଜ୍‌ଧାରୀ ଲିଜ୍‌ ଏରିଆରୁ କଳାପଥର ଉତ୍ତୋଳନ ନ କରି ଅନ୍ୟ ଅଞ୍ଚଳରୁ ବ୍ୟାପକ ମାତ୍ରାରେ ଉତ୍ତୋଳନ କରିଥିଲେ। ତେବେ ତହସିଲ ପ୍ରଶାସନ ଆଦୌ ନିରୀକ୍ଷଣ ନ କରି ହଜାର ହଜାର ୱାଇ ଫର୍ମ ବହି ଲିଜଧାରୀଙ୍କୁ ପ୍ରଦାନ କରିଥିଲେ। ଏହାର ସୁଯୋଗରେ ଲିଜ୍‌ଧାରୀ ନିର୍ଦ୍ଧାରିତ ପରିମାଣଠାରୁ ବହୁ ଗୁଣରେ ଅଧିକ କଳାପଥର ଲୁଟ୍‌ କରି ବିଭାଗୀୟ ସମ୍ପୃକ୍ତ ଅଧିକାରୀଙ୍କୁ ନିଜ ହାତରେ ରଖି ମାଲାମାଲ ହୋଇଛନ୍ତି। ଏପରି କି ସ୍ଥାନୀୟ ରାଜସ୍ବ ନିରୀକ୍ଷକ ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ଏକାଧିକ ଥର ଆରୁହାରୁ କଳାପଥର ଚୋରି ହେଉଛି ବୋଲି ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ହେଲେ ତହସିଲଦାର କିମ୍ବା ଅତିରିକ୍ତ ଜିଲାପାଳ(ରାଜସ୍ବ) ଆଦୌ କର୍ଣ୍ଣପାତ କରି ନ ଥିଲେ। ଇତିମଧ୍ୟରେ ଏନେଇ ଜିଲାପାଳଙ୍କ ନିର୍ଦ୍ଦେଶରେ ଏକ ଯୁଗ୍ମ କମିଟି ତଦନ୍ତ କରୁଥିବା ଜଣାପଡିଛି। ମଙ୍ଗଳବାର ଏହି କମିଟି ଆରୁହା ପରିଦର୍ଶନ କରି ତଦନ୍ତ କରିବ। ଆବେଦନକାରୀ ବେହୁରାଙ୍କୁ ଏନେଇ ଜିଲା ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି।