ବାଘ ଆକ୍ରମଣରେ ଆହତ ସମ୍ବର ଆଖି ବୁଜିଲା

ଠାକୁରମୁଣ୍ଡା,୪।୧(ଡି.ଏନ୍‌.ଏ.): କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ଫରେଷ୍ଟ ବିଟ୍‌ ଅନ୍ତର୍ଗତ ଭେଜଡିହା ଗ୍ରାମ ନିକଟରେ ସୋମବାର ସକାଳେ ଆହତ ଅବସ୍ଥାରେ ମିଳିଥିବା ଏକ ସମ୍ବରର ମୃତ୍ୟୁ ଘଟିଛି। ମୃତ ସମ୍ବରକୁ ଜଙ୍ଗଲ ଭିତରେ କଲରାପତରିଆ ବାଘ ଆକ୍ରମଣ କରିଥିବାର ବନବିଭାଗ ଅନୁମାନ କରୁଛି। ମୃତ ସମ୍ବରର ବୟସ ପ୍ରାୟ ୨ ବର୍ଷ। ଓଜନ ଦେଢ଼ କ୍ୱିଣ୍ଟାଲ ହେବ। ଶିମିଳିପାଳ ଜଙ୍ଗଲ ଭିତରେ ବାଘ ଆକ୍ରମଣରୁ ଖସି ପଳାଇ ଆସି ଭେଜଡିହା ଗ୍ରାମ ଭିତରକୁ ଦୌଡ଼ି ଆସିବା ବେଳେ ଲୋକେ ସମ୍ବରକୁ ଦେଖି ବନବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ସମ୍ବରକୁ ଚିକିତ୍ସା ପାଇଁ ପ୍ରସ୍ତୁତି କରୁଥିବା ସମୟରେ ତା’ର ମୃତ୍ୟୁ ଘଟିଥିଲା। ମୃତ ସମ୍ବରର ବେକ, ଲାଞ୍ଜ,ପିଠିରେ କ୍ଷତ ହୋଇଛି। ବନବିଭାଗ କର୍ମଚାରମାନେ ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟକୁ ସମ୍ବରର ମୃତଦେହ ଆଣିଛନ୍ତି।