Categories: ଖେଳ

ଇଂଲଣ୍ଡ ଗସ୍ତରୁ ଓହରିଲା ଭାରତୀୟ ମହିଳା କ୍ରିକେଟ୍‌ ଦଳ

ଲଣ୍ଡନ,୨୧।୭(ପି.ଟି.): ପ୍ରାସ୍ତାବିତ ଇଂଲଣ୍ଡ ଗସ୍ତରୁ ଭାରତୀୟ ମହିଳା ଦଳ ଓହରିଯାଇଛି। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଦଳ ଏହି ନିଷ୍ପତ୍ତି ନେଇଛି। ଇଂଲଣ୍ଡ ଗସ୍ତରେ ଭାରତ ଏକ ଦ୍ୱିପାକ୍ଷିକ ସିରିଜ ଖେଳିବାର କାର୍ଯ୍ୟକ୍ରମ ଥିଲା। ଏଥିରେ ଭାରତ ଘରୋଇ ଇଂଲଣ୍ଡ ବିପକ୍ଷରେ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ୍‌ ସାମିଲ ରହିଥିଲା। ଜୁନ୍‌ରେ ଏହି ସିରିଜ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ତେବେ କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ଏହାକୁ ଘୁଞ୍ଚାଇଦିଆଯାଇଥିଲା। ତେବେ ସେପ୍ଟେମ୍ବରରେ ଏକ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଆୟୋଜନ କରିବାକୁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଘୋଷଣା କରିଛି। ଏଥିପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ସହ ଆଲୋଚନା ଚାଲୁ ରହିଛି ବୋଲି ଇସିବି ତରଫରୁ କୁହାଯାଇଛି।
ଆଗାମୀ ଗ୍ରୀଷ୍ମରେ ଦକ୍ଷିଣ ଆଫ୍ରିକା ବିଳମ୍ବରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏହି ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଆୟୋଜନ କରିବାକୁ ଇସିବି ବେଶ୍‌ ଆଶାବାଦୀ ରହିଛି। ଉଲ୍ଲେଖଥାଉ କି, କୋଭିଡ୍‌-୧୯ ମହାମାରୀ ପୂର୍ବରୁ ଅଷ୍ଟ୍ରେଲିଆରେ ମହିଳା ଟି୨୦ ବିଶ୍ୱକପ୍‌ ବେଶ୍‌ ସଫଳତାର ଆୟୋଜନ ହୋଇଥିଲା। ତେବେ ମହାମାରୀ ବ୍ୟାପିବା ପରେ ମାର୍ଚ୍ଚରୁ ହିଁ ସାରା ବିଶ୍ୱରେ ସବୁ ପ୍ରକାର କ୍ରୀଡ଼ା କାର୍ଯ୍ୟକଳାପ ଠପ୍‌ ହୋଇଯାଇଥିଲା। ଇତିମଧ୍ୟରେ ଭାରତରେ ସଂକ୍ରମଣ ବଢିବାରେ ଲାଗିଛି। ଖେଳାଳିମାନେ କେତେବେଳେ ଟ୍ରେନିଂ ପାଇଁ ଏକାଠି ହେବେ ସେ ନେଇ ମଧ୍ୟ କିଛି ସ୍ପଷ୍ଟ କରାଯାଇ ନାହଁ। ଭାରତ ଏପର୍ଯ୍ୟନ୍ତ ୧୧ ଲକ୍ଷ କୋଭିଡ୍‌-୧୯ ସଂକ୍ରମଣର ଶିକାର ହୋଇଛନ୍ତି ଓ ଏଥିରେ ୨୮,୦୦୦ ପ୍ରାଣ ହରାଇଛନ୍ତି।

Share