ବଳାତ୍କାର ପୀଡ଼ିତାଙ୍କୁ ପୋଲିସ ଭ୍ୟାନ୍‌ରେ ଅପେକ୍ଷା କରିବା ଘଟଣା: ରିପୋର୍ଟ ମାଗିଲେ ସିଡିଏମ୍‌ଓ

କେନ୍ଦୁଝର,୧ା୨(ସ୍ବ.ପ୍ର.): ସୋସୋ ଥାନା ଅଞ୍ଚଳରେ ଜଣେ ୩୭ ବର୍ଷୀୟା ମହିଳାଙ୍କୁ ଗଣ ବଳାତ୍କାର ଘଟଣାରେ ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପୋଲିସ ଭ୍ୟାନ୍‌ରେ ୧୨ ଘଣ୍ଟା ଅପେକ୍ଷା କରିବା ନେଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି ଆନନ୍ଦପୁର ଉପଖଣ୍ଡ ମେଡିକାଲର ଅଧୀକ୍ଷକ ଡାକ୍ତର ଧନେଶ୍ୱର ସେଠୀଙ୍କୁ କୈଫିୟତ ତଲବ କରିଛନ୍ତି। ଚିଠି ନଂ ୩୪୪ ତା ୨୭.୧.୨୩ରେ ଏହି ଚିଠି ହୋଇଥିବାବେଳେ ୩ ଦିନ ମଧ୍ୟରେ ଏହାର ଉତ୍ତର ରଖିବାକୁ କୁହାଯାଇଛି।

ପ୍ରକାଶ ଯେ, ଗତ ଜାନୁୟାରୀ ୧୮ରେ ଏହି ଘଟଣା ଘଟିଥିବା ବେଳେ ୧୯ ତାରିଖରେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ପୋଲିସ ମେଡିକାଲ ନେଇଥିଲା। ତେବେ ଗୋଟିଏ ମେଡିକାଲରୁ ଆଉ ଗୋଟିଏ ମେଡିକାଲକୁ ନେବା ଆଣିବାରେ ଡାକ୍ତରୀ ଯାଞ୍ଚରେ ବିଳମ୍ବ ହେବାରୁ ପୀଡ଼ିତାଙ୍କୁ ପ୍ରାୟ ୧୨ ଘଣ୍ଟା ଧରି ପୋଲିସ ଜିପ୍‌ରେ ଅପେକ୍ଷା କରିବାକୁ ପଡ଼ିଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୋଲିସ ଅବହେଳା କରିଥିବା ଅଭିଯୋଗ ହେବା ପରେ ସୋସା ଥାନା ଅଧିକାରୀ ପ୍ରଦୀପ ସେଠୀଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ ପଦକ୍ଷେପ ନେବା ପାଇଁ ଦାବି ହୋଇ ଆସୁଥିଲା। ଏହି ଘଟଣାକୁ ନେଇ ଜାତୀୟ ମାନବାଧିକର କମିଶନ ନିକଟରେ ମଧ୍ୟ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ମହିଳା ଡାକ୍ତର ନ ଥିବାରୁ ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇପାରୁନାହିଁ। ଅନେକ ସମୟରେ ପୀଡ଼ିତାଙ୍କୁ ଅନ୍ୟ ଡାକ୍ତରଖାନା ନେବାକୁ ପଡୁଛି। ଫଳରେ ସେମାନେ ମାନସିକ ଭାବେ ଚାପଗସ୍ତ ହେଉଛନ୍ତି।