ବନ୍ଦ କୋଠରିରୁ ୪ ସଦସ୍ୟଙ୍କ ମୃତଦେହ ମିଳିବା ଘଟଣା: ହତ୍ୟା ମାମଲା ରୁଜୁ କରି ପୋଲିସର ଛାନ୍‌ଭିନ୍‌

ବରଗଡ଼ ଅଫିସ,୩୧ା୧୦: ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ଜାଣ୍ଡୋଲ କନ୍ଧପଡ଼ାର ବନ୍ଦ କୋଠରିରୁ ଏକ ବୁଣାକାର ପରିବାରର ୪ସଦସ୍ୟଙ୍କ ମୃତଦେହ ମିଳିବା ଘଟଣା ସଭିଁଙ୍କୁ ସ୍ତବ୍ଧ କରି ପକାଇଛି। ପାରିପାଶର୍‌ବିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ବରଗଡ଼ ଏସ୍‌ପି ସ୍ମିତ୍‌ ପି ପରମାର୍‌ ସୋମବାର ସକାଳୁ ଘଟଣାସ୍ଥଳକୁ ପହଞ୍ଚି ଛାନ୍‌ଭିନ୍‌ କରୁଛନ୍ତି। ଏ ନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇ ଥିବାବେଳେ ଏଥିପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ଏସ୍‌ପି ପ୍ରକାଶ କରିଛନ୍ତି। ଡଗ୍‌ ସ୍କ୍ବାଡ, ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ନିଆଯାଉଛି ଏବଂ ମୃତକଙ୍କ ପଡ଼ୋଶୀ ଏବଂ ସମ୍ପର୍କୀୟଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି। ଆର୍ଥିକ କାରବାର, ପାରିବାରିକ ବିବାଦ ଆଦି ଦିଗକୁ ନେଇ ପୋଲିସ ତଦନ୍ତ କରୁଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ପୋଲିସ ଗୁରୁତର ଭାବେ ନେଇଛି। ଘଟଣାର ତୁରନ୍ତ ପର୍ଦ୍ଦାଫାଶ଼ ପାଇଁ ଉଦ୍ୟମ ଜାରି ରଖିଛି ବୋଲି ଏସ୍‌ପି ପରମାର୍‌ କହିଛନ୍ତି।

ଉଲ୍ଲେଖନୀୟ ଯେ, ରବିବାର ସନ୍ଧ୍ୟାରେ ଜାଣ୍ଡୋଲ କନ୍ଧପଡ଼ା ଗ୍ରାମର ବନ୍ଦ କୋଠରିରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ କବାଟ ଖୋଲିଥିଲା ଏବଂ ଘର ଭିତରେ ଗୃହକର୍ତ୍ତା ଶେଷଦେବ, ସ୍ତ୍ରୀ କ୍ଷୀରେଶ୍ବରୀ, ପୁଅ ଅରବିନ୍ଦ ଏବଂ ଝିଅ ଶିବାନୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାର ପର୍ଦ୍ଦାଫାଶ କରିବାରେ ବରଗଡ଼ ପୋଲିସ କେତେ ଶୀଘ୍ର ସଫଳ ହେଉଛି, ତାହା ଦେଖିବାକୁ ବାକି ରହିଲା।