ଧାରଣା ଉଠିଲା, ଉଠିନାହିଁ ଧାନ: ପୁଣି ହୋଇପାରେ…

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ):ଚଳିତ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୦ଦିନ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ବିଭାଗୀୟ ଅବହେଳା ଯୋଗୁ ଧାନବିକ୍ରି ପଞ୍ଜୀକରଣରୁ ବଞ୍ଚିତ ହୋଇ ଜିଲାର ଅନେକ ଚାଷୀ ଗତବର୍ଷ ଖରିଫ୍‌ରେ ଅମଳ ହୋଇଥିବା ଧାନକୁ ବିକ୍ରି କରି ପାରି ନାହାନ୍ତି। ଏହାର ପ୍ରତିବାଦରେ ଗତ ମାର୍ଚ୍ଚ ୯ତାରିଖରୁ ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଜିଲାର ଭେଡ଼େନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ବିଭିନ୍ନ ଗ୍ରାମ ସମେତ ଜିଲାର ଅନ୍ୟ ଅଞ୍ଚଳର ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦିନରାତି ଖରାତାତି ସହି ଧାରଣାରେ ବସିଥିଲେ। ମଙ୍ଗଳବାର ଧାରଣାକୁ ୭୨ଦିନ ପୂରିଥିଲା। ତେବେ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ସେହି ଧାନକ୍ରୟ ଦିଗରେ ମୌଖିକଭାବେ ଆଶ୍ୱାସନା ଦେବା ପରେ ତାତିର ପ୍ରକୋପକୁ ଦୃଷ୍ଟିରେ ରଖି ଚାଷୀମାନେ ଧାରଣାରୁ ଉଠିଛନ୍ତି। ଅନ୍ୟପଟେ ଏପର୍ଯ୍ୟନ୍ତ ଚାଷୀଙ୍କ ଧାନ ଉଠିପାରି ନାହିଁ। ତେବେ ପୁଣି ଧାନ ଉଠାଣରେ ବିଳମ୍ବ କରାଗଲେ ଚାଷୀମାନେ ଧାରଣାକୁ ଫେରିବେ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଗତବର୍ଷ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଅଗଷ୍ଟ ମାସରେ ଚାଷୀ ପଞ୍ଜୀକରଣ ଚାଲିଥିଲା। ସେତେବେଳେ ଚାଷୀମାନେ ବିଭାଗୀୟ କାର୍ଯ୍ୟାଳୟରେ ଆବଶ୍ୟକ କାଗଜାତ୍‌ ପ୍ରଦାନ କରି ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ମାତ୍ର ଜିଲାର ଅନେକ ଚାଷୀ ଧାନବିକ୍ରି ପାଇଁ ପଞ୍ଜୀକୃତ ହୋଇ ପାରି ନଥିଲେ। ଭେଡ଼େନ ବ୍ଲକ ଅନ୍ତର୍ଗତ ବହଲପାଲି, ତାଲମେଣ୍ଡା, ଦେକୁଲବା, ପାତରପାଲି, ଦେହେରୀପାଲି, ସାନ ପିପିଲିପାଲି, ଖଗସିପାଲି ସମେତ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଏଭଳି ସମସ୍ୟାରେ ଛନ୍ଦି ହୋଇଥିଲେ। ଜିଲାପାଳଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ, ଏମ୍‌ପି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସେହି ସମସ୍ୟା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କିଛି ସୁଫଳ ମିଳି ନଥିଲା। ଫଳରେ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧାନ ଆଣି ଗଦା କରିଥିଲେ ଏବଂ ପୋଲିସ-ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହିତ ଚାଷୀଙ୍କୁ ପୋଲିସ ଉଠାଇ ନେବା ଭଳି ଘଟଣା ଘଟିଥିଲା। ହେଲେ ଚାଷୀମାନେ ହାର୍‌ ମାନି ନଥିଲେ। ଖରାତାତି ସହି ଦିନରାତି ନିଜର ହକ୍‌ ପାଇଁ ଧାରଣା ଜାରି ରଖିଥିଲେ। ଭେଡ଼େନ ବ୍ଲକ କାର୍ଯ୍ୟାଳୟରେ ମିଳିତ ଜନ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ଏପରିକି ତାଲମେଣ୍ଡାର ଜଣେ ଚାଷୀ ଇଚ୍ଛାମୃତ୍ୟୁ ପାଇଁ ଜିଲାପାଳଙ୍କୁ ଆବେଦନ କରିଥିଲେ। ଏହି ଘଟଣାଟି ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଥିଲା।

 

Dharitri – Odisha’s No.1 Odia Daily

 

Share