୪ ଘର ଭାଙ୍ଗିଲେ ହାତୀପଲ: ଧାନ ଚାଉଳ ଖାଇଲେ, ନଷ୍ଟ କଲେ ଆଖୁ କ୍ଷେତ

ପାଟଣା,୧୩ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୨୬ ଟିକିଆ ହାତୀପଲ ୪ ଦିନ ହେବ ବିଭିନ୍ନ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି। ରବିବାର ବିଳମ୍ବିତ ରାତିରେ ହାତୀପଲ ମାଛଗଡ଼ ଓ ତଣ୍ଡବିଟର ଫୁଲପାହାଡ଼ି ଗାଁର ବାବୁନ ମୁଣ୍ଡାଙ୍କ ଖପର ଘର, ବଡ଼ ନୂଆଗାଁର ଶ୍ରୀକାନ୍ତ ମହାନ୍ତଙ୍କ ଟାଇଲ ଘର, କୁଣ୍ଡୁଳା ଛତିଶ ନାଏକ ଓ ବାଳ କୃଷ୍ଣ ମିରିଖୋଜିଆଙ୍କ ଚାଳ ଛପର ଘର ଭାଙ୍ଗି ଦେଇଥିବା ରେଞ୍ଜର ଟିକେଶ୍ୱର ମହାନ୍ତ ସୂଚନା ଦେଇଛନ୍ତି। ଏଥି ସହ କୁଣ୍ଡଳା,ମିରିଗିଖୋଜି, ଡୁମୁରିଆ, ମଙ୍ଗଳପୁର ବଡ଼ ନୂଆଗାଁ ଅଞ୍ଚଳରେ ବ୍ୟାପକ ଧାନ ଫସଲ,ଆଖୁ ବାଡ଼ି ଖାଇବା ସହ ମାଡି ଦଳି ନଷ୍ଟ କରିଛନ୍ତି। ଘରେ ପଶି ହାତୀ ପଲ ଧାନ ଚାଉଳ ଖାଇବା ସହ ଅମଳ ପାଇଁ ରଖା ଯାଇଥିବା ଧାନ ବିଡା ଖାଇ ନଷ୍ଟ କରିଛନ୍ତି। ଘରେ ଶୋଇଥିବା ପରିବାର ଲୋକେ ହାତୀ ଆକ୍ରମଣ ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏବେ ହାତୀପଲ ଖଡିବେଡ଼ା ବୈତରଣୀ ନଦୀର ଟାପୁରେ ଡେରା ପକାଇଛନ୍ତି। ବନ ବିଭାଗ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଉଛି। ହାତୀପଲଙ୍କ ଆତଙ୍କ ପାଇଁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଖୁବ୍‌ଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଯୋଗାଇ ଦେବା ସ୍ଥାନୀୟ ଲୋକେ ଦାବି କରିଛନ୍ତି। ହାତୀପଲଙ୍କୁ ଅଞ୍ଚଳରୁ ତୁରନ୍ତ ଘଉଡ଼ାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।