ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲା ୩ ଜୀବନ

ଡାବୁଙ୍ଗା,୧୫ା୮(ଡି.ଏନ୍‌.ଏ.): ତିନିଦିନ ହେଲା ଲଗାଣବର୍ଷା ଯୋଗୁ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଞ୍ଚଳର ପୂର୍ଣ୍ଣ ପନକାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଶନିବାର ସକାଳେ ପୂର୍ଣ୍ଣଙ୍କ ୨ ପୁଅ ଓ ନାତୁଣୀ ଘର ଭିତରେ ଥିବା ସମୟରେ ଘରଟି ହଠାତ ଭାଙ୍ଗି ପଡ଼ିଥିଲା। ବାହାରେ ପୂର୍ଣ୍ଣ ଏବଂ ତାଙ୍କ ସ୍ତ୍ରୀଙ୍କ ସହ ୨ ଝିଅ, ଆଉ ଗୋଟିଏ ପୁଅ ଥିବା ବେଳେ ଏହି ଘରଟି ଭାଙ୍ଗି ପଡ଼ିଥିଲା। ପରେ ଭଙ୍ଗା ଘର ଭିତରେ ଥିବା ୨ ପୁଅ ଓ ନାତୁଣୀକୁ ପୂର୍ଣ୍ଣ ଉଦ୍ଧାର କରିଥିଲେ। ଫଳରେ ୩ ଜଣ ଅଳ୍ପକେ ମୃତ୍ୟୁ ମୁହଁରୁ ବଞ୍ଚିଯାଇଛନ୍ତି। ପୂର୍ଣ୍ଣଙ୍କ ଜମିବାଡ଼ି ଯାହା ଅଛି ବର୍ଷସାରା ପରିବାର ଚଳାଇବା କଷ୍ଟକର। କୁଲି ମଜୁରି କରି ପରିବାର ଚଳାଉଥିବା ବେଳେ ଲଘୁଚାପ ଜନିତ ଲଗାଣବର୍ଷାରେ ଘର ଭାଙ୍ଗି ପୂର୍ଣ୍ଣଙ୍କୁ ଚିନ୍ତାରେ ପକାଇଛି। ପ୍ରଶାସନ ପକ୍ଷରୁ ଉକ୍ତ ପରିବାରକୁ ଏକ ପକ୍କାଘର ଓ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।