ତୁମୁଡ଼ିବନ୍ଧ,୩ା୧୦(ଦୀପକ କୁମାର ପରାସେଠ୍): ଲଘୁଚାପଜନିତ ଲଗାଣ ବର୍ଷାରେ କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ବହୁତ କ୍ଷୟକ୍ଷତି ହୋଇଥିବା ବେଳେ ଘରଦ୍ୱାର ମଧ୍ୟ ଭାଙ୍ଗି ଯାଇଥିବା ଶୁକ୍ରବାର ଜଣାପଡ଼ିଛି।
ସୂଚନାନୁସାରେ, ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ ଗତ ଗୁରୁବାରରୁ ପ୍ରବଳ ବର୍ଷା ସହିତ ପବନ ବହୁଥାଏ। ତୁମୁଡିବନ୍ଧ ବଡ଼ସାହିର ବିଧବା ବୃଦ୍ଧା ମାମି ପ୍ରଧାନୀ ରାତ୍ରିଭୋଜନ ସାରି ନିଜ ଝାଟିମାଟି ଘରେ ନାତି ସହିତ ଶୋଇଥିବା ବେଳେ ବର୍ଷା ଓ ପବନରେ ହଠାତ ମାଟି କାନ୍ଥ ଭୁଶୁଡ଼ି ପଡ଼ି ଅତି ଆବଶ୍ୟକୀୟ ସାମଗ୍ରୀ ଚାଉଳ, ଡାଲି, ଲୁଣ, ଖାଇବା ତେଲ,ରାଶନ ସାମଗ୍ରୀ ଆଲମାରୀ ସହିତ ଲୁଗାପଟା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଉଭୟେ। ତା’ପରେ ରାତି ତମାମ ବଡ଼ କଷ୍ଟରେ ବିତିଛି ବୋଲି କହିଛନ୍ତି ମାମି।
ସେହିପରି ସିର୍ଲା ପଞ୍ଚାୟତର ପିଡ଼ାମାହା ଗ୍ରାମର ସୁରେନ୍ଦ୍ର ମୁଠା ମାଝୀ, ଲାଲୁ ମଲିକ, ଅମରାବତୀ ମୁଠା ମାଝୀ ଓ ଯୋହନ ମୁଠା ମାଝୀଙ୍କ ଘର କାନ୍ଥ ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ତେବେ ଘର କାନ୍ଥ ଭାଙ୍ଗିପଡ଼ି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ନଷ୍ଟ ହେବା ସହିତ ଲଗାଣ ବର୍ଷାରେ ରାତି ସାରା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ସରକାରୀ ସହାୟତାକୁ ଅପେକ୍ଷା କରି ରହିଥିବା କହିଛନ୍ତି ପୀଡ଼ିତ ପରିବାର ଲୋକେ। ଏହି ବାବଦରେ ତୁମୁଡିବନ୍ଧ ତହସିଲଦାର ଦୋଳଗୋବିନ୍ଦ ସାହୁଙ୍କୁ ପଚାରିବାରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ ହୋଇଥିବା କ୍ଷୟକ୍ଷତିକୁ ରିପୋର୍ଟ କରିବା ପାଇଁ ସମସ୍ତ ରାଜସ୍ବ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


