ବିଏସ୍‌କେୱାଇ କାର୍ଡଧାରୀଙ୍କୁ ଟଙ୍କା ମାଗୁଛି ହସ୍‌ପିଟାଲ

ଗୋପାଳପୁର,୩୦ା୧୨(ଡି.ଏନ.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନତମାନର ଚିକିତ୍ସା ପାଇଁ ବିଏସ୍‌କେୱାଇ କାର୍ଡ ପ୍ରଣୟନ କରାଯାଇଥିଲେ ମଧ୍ୟ କିଛି ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମନମାନି ଯୋଗୁଁ ଏହି କାର୍ଡର ସୁଫଳ ମିଳିପାରୁନଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରଣ୍ଢା ନିକଟସ୍ଥ ଅମିତ୍‌ ହସ୍ପିଟାଲରେ। ସୂଚନାନୁସାରେ, ଗାଙ୍ଗପୁର ଥାନା ଅଧିନସ୍ଥ କାଳିଆଗୁଡ଼ାର ବର୍ଷା ରାଉତ ଗୁରୁତର ହୋଇ ସୋମବାର ସକାଳ ୯ଟାରେ ବିଏସ୍‌କେୱାଇ କାର୍ଡ ଧରି ହସ୍ପିଟାଲକୁ ଯାଇଥିଲେ। ଏହି ସମୟରେ ହସ୍ପିଟାଲ କର୍ତ୍ତୃପକ୍ଷ ଏହି କାର୍ଡ ବ୍ୟବହାର ହୋଇପାରିବ ନାହିଁ, ଟଙ୍କା ଦେଲେ ହିଁ ଚିକିତ୍ସା ସୁବିଧା ମିଳିବ ବୋଲି ରୋଗୀଙ୍କ ପରିବାରକୁ କହିଥିଲେ। ଫଳରେ ରୋଗୀ ଚିକିତ୍ସା ସୁବିଧା ନ ପାଇ ହସ୍ପିଟାଲ ବାହାରେ ପଡ଼ି ରହିଥିଲେ। ଟଙ୍କା ଦେଲେ ଉକ୍ତ ରୋଗୀଙ୍କ ଚିକିତ୍ସା କରାଯିବ ବୋଲି କୁହାଯାଇଥିଲା। ପରେ ରୋଗୀଙ୍କ ପରିବାର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ରଣ୍ଢା ସରପଞ୍ଚ ଅଜିତ କୁମାର ରାଉଳଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିବା ସହ ଗୁରୁତର ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ମଧ୍ୟ ଉକ୍ତ ହସ୍ପିଟାଲରେ ବିଏସ୍‌କେୱାଇ କାର୍ଡଧାରୀଙ୍କଠାରୁ ଟଙ୍କା ମାଗିବା ଓ ରୋଗୀଙ୍କୁ ଶୋଷଣ କରିବା, ସଠିକ୍‌ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉନଥିବା ଅଭିଯୋଗ ଉଠିଛି। ଏ ସମ୍ପର୍କରେ ହସ୍ପିଟାଲ ଇନ୍‌ଚାର୍ଜ ଅମିତ୍‌ ବିଶୋୟୀଙ୍କୁ ପଚାରିବାରୁ କୌଣସି ରୋଗୀଙ୍କୁ ଟଙ୍କା ମଗାଯାଇନାହିଁ। ଯେଉଁ ଚିକିତ୍ସା ପାଇଁ ରୋଗୀ ଆସିଛନ୍ତି ବିଏସକେୱାଇ କାର୍ଡରେ ତାହା ଆସୁନି ବୋଲି ସଫେଇ ଦେଇଛନ୍ତି।