ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଲା ପୋଖରୀ ଗାର୍ଡ ଓ୍ବାଲ୍‌

ହିଞ୍ଜିଳିକାଟୁ,୧୩ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୁଟିଆପଦର ଗ୍ରାମରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ( ଏମ୍‌ଜିଏନ୍‌ଆର୍‌ଇଜିଏ)ରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧୀନ ଏକ ପୋଖରୀର ଗାର୍ଡଓ୍ବାଲ ଶନିବାର ଭୁଶୁଡ଼ି ପଡ଼ିଛି। ଲଗାଣ ବର୍ଷା ଯୋଗୁ ଗାର୍ଡ ଓ୍ବାଲ ଧସି ଯାଇଥିବା ସଂପୃକ୍ତ ଯନ୍ତ୍ରୀ ପ୍ରକାଶ କରିଛନ୍ତି। ତେବେ ମାସକ ତଳେ ଆରମ୍ଭ ହୋଇଥିବା ଏହି କାମର ଗୁଣାତ୍ମକମାନ ନେଇ ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲା ହିଞ୍ଜିିିଳିକାଟୁ ବ୍ଲକ ବାଳକୃଷ୍ଣପୁର ପଞ୍ଚାୟତର ଗଙ୍ଗାଧର ମନ୍ଦିର ନିକଟସ୍ଥ ଆଦର୍ଶ ପୋଖରୀ କାର୍ଯ୍ୟ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ମାଧ୍ୟମରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରାୟ ଏକ ମାସ ହେବ କାର୍ଯ୍ୟ ଆରମ୍ଭ ହୋଇଥିଲା। ସଂପ୍ରତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। ଗତ ୨ ଦିନ ଧରି ଅଞ୍ଚଳରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି । ଲଗାଣ ବର୍ଷାରେ ପୋଖରୀ ହୁଡାର ଦୁଇ ପାର୍ଶ୍ୱରେ ଗାର୍ଡ ଓ୍ବାଲ ଓ ପଥର ବନ୍ଧ ଧସେଇ ହୋଇ ପୋଖରୀ ପାଣିକୁ ଖସି ଯାଇଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଏପରି ଘଟିଥିବା ନେଇ ବହୁ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗାର୍ଡ ଓ୍ବାଲ ଧସେଇ ଖବର ପାଇ ବିଡିଓ ସୁବ୍ରତ କୁମାର ଜେନା, ବ୍ଲକ ସହକାରୀ ଯନ୍ତ୍ରୀ ହେମନ୍ତ ମିଶ୍ର ଓ କାର୍ଯ୍ୟ ତଦାରଖ କରିଥିବା ଯନ୍ତ୍ରୀ ଇନ୍ଦିରା ଗୌଡ଼ ଓ ଜିଆରଏସ୍‌ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଏପରି ଘଟିଥିବା ଅଧିକାରୀମାନେ କହିଛନ୍ତି। ପୁଣି ଏହାର କାର୍ଯ୍ୟ କରାଯିବ ବୋଲି ଯନ୍ତ୍ରୀ ଗୌଡ଼ କହିଛନ୍ତି। ଅନ୍ୟପକ୍ଷରେ କାର୍ଯ୍ୟର ଗୁଣାବତ୍ତା ନେଇ ସ୍ଥାନୀୟ ଜନସାଧାରଣ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ପୋଖରୀ କାର୍ଯ୍ୟ ପୁଣି ଥରେ ନ ହେଲେ ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ କହିଛନ୍ତି।