Categories: ବାଣିଜ୍ୟ

ଭୋଡାଫୋନ ଟିକସ ମାମଲାରେ ସରକାରଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଭୋଡାଫୋନ ପିଏଲ୍‌ସି ଟିକସ ମାମଲାରେ ଅନ୍ତର୍ଜାତୀୟ ମଧ୍ୟସ୍ଥତା କୋର୍ଟ ଦେଇଥିବା ରାୟକୁ ଭାରତ ସରକାର ସିଙ୍ଗାପୁରରେ ଚ୍ୟାଲେଞ୍ଜ କରିଛନ୍ତି। ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ରଏଟର୍ସକୁ ଏ ନେଇ ସୂଚନା ଦେଇଛନ୍ତି। ନିକଟରେ ସରକାର କେୟର୍ନ ଏନର୍ଜି ମାମଲାରେ ମଧ୍ୟ ହାରିଯାଇଛନ୍ତି। ପ୍ରାୟ ୮ ହଜାର କୋଟି ଟଙ୍କା ଫେରାଇବା ନେଇ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଣୁ ଭୋଡାଫୋନ ଟିକସ ପ୍ରଦାନ ପ୍ରସଙ୍ଗକୁ ଏବେ ନଜରରେ ରଖାଯାଇଥିବା ଜଣାପଡିଛି। ଦ୍ୱିପାକ୍ଷିକ ନିବେଶ ଚୁକ୍ତିର ସଫଳ ରୂପାୟନ ଦିଗରେ ଭାରତର କାର୍ଯ୍ୟାନୁଷ୍ଠାନ ବାଧକ ବୋଲି ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ ବୁଧବାର କହିଥିଲେ। ଅପରପକ୍ଷରେ ଭାରତର ଟିକସ ଅଧିକାରୀମାନେ ଯୁକ୍ତିରେ କହିଛନ୍ତି, ଟିକସ ନିୟମ ପ୍ରଣୟନ କରୁଥିବା କୌଣସି ଦେଶର ବ୍ୟବସ୍ଥାପିକା ସାର୍ବଭୌମତ୍ୱକୁ ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲ ଗୌଣ କରିପାରିବେ ନାହିଁ। ଭାରତ ସରକାର କିମ୍ବା ବ୍ୟବସ୍ଥାପିକା କ୍ଷମତାକୁ ଅବମାନନା କରାଯାଉ ନାହିଁ । ମାତ୍ର ଭାରତ ଦ୍ୱିପାକ୍ଷିକ ଚୁକ୍ତିରେ ରହିଥିବା ପ୍ରତିବଦ୍ଧତାକୁ ମଧ୍ୟ ଠିକ୍‌ ଭାବେ ପାଳନ କରୁନାହିଁ ବୋଲି ରେଟ୍ରୋସ୍ପେକ୍ଟିଭ ଟିକସ ଦ୍ୱାରା କ୍ଷତିଗ୍ରସ୍ତ କମ୍ପାନୀ କହିଛନ୍ତି। ୨୦୦୭ରେ ହଚିସନକୁ ଅଧିଗ୍ରହଣ କରିବା ଉପରେ ଭୋଡାଫୋନ ବିରୋଧରେ ଇଣ୍ଟେରେଷ୍ଟ ପେମେଣ୍ଟ ଲାଗି ସରକାର ଟାକ୍ସ ଡିମାଣ୍ଡ ରଖିଥିଲେ। ଏହାକୁ ନେଇ ଭୋଡାଫୋନ ମାମଲା ଲଢିଥିଲା। ଚଳିତ ବର୍ଷ ସେପ୍ଟେମ୍ବରରେ ଭୋଡାଫୋନ ଭାରତ ସରକାରଙ୍କ ବିରୋଧରେ ପ୍ରାୟ ୨୨,୧୦୦ କୋଟି ଟଙ୍କାର ମାମଲାକୁ ଜିତିଥିବା ଜଣାପଡିଛି।

Share