Categories: ବାଣିଜ୍ୟ

କେୟର୍ନଠାରୁ ଟିକସ ଅସୁଲ କରିବେ ସରକାର

ନୂଆଦିଲ୍ଲୀ, ୫।୪:  ବେଦାନ୍ତର କେୟର୍ନ ଅଏଲ ଆଣ୍ଡ ଗ୍ୟାସ କମ୍ପାନୀଠାରୁ ଭାରତ ସରକାର ଟିକସ ଅସୁଲ କରିବେ। ଏ ଦିଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ବର୍ତ୍ତମାନ ପ୍ରସ୍ତୁତ ହେଉଛି। ରାଜସ୍ଥାନର ତୈଳ ଏବଂ ବାଷ୍ପ ବ୍ଲକରୁ କମ୍ପାନୀ ଲାଭ କରିଥିବା ଉଚ୍ଚ ପରିମାଣର ଲାଭ ବାବଦକୁ ସରକାରଙ୍କୁ ଟିକସ ଦେବାକୁ ହେବ ବୋଲି ଦିଲ୍ଲୀ ହାଇକୋର୍ଟ ନିକଟରେ ହୋଇଥିବା ଶୁଣାଣିରେ କହିଛନ୍ତି। କମ୍ପାନୀ ପ୍ରାଥମିକ ପର୍ଯ୍ୟାୟରେ ଯେତେ ଅବଧିର ଲାଇସେନ୍ସ ପାଇଥିଲା ତା’ର ଅବଧି ବଢିବାରୁ ଲାଭବାନ ହୋଇଛି। ଏଣୁ ବିଭିନ୍ନ ଦିଗକୁ ବିଚାର କରି ସରକାର ଏହି କମ୍ପାନୀଠାରୁ ଟିକସ ଆଦାୟ କରିବେ ବୋଲି ପ୍ର୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କମ୍ପାନୀ ଏହାର ବାର୍ମର ବେସିନ ଲାଗି ୨୫ ବର୍ଷ ପାଇଁ ଲାଇସେନ୍ସ ଲାଭ କରିଥିଲା। ୨୦୨୦ ମେ ୧୫ରେ ଏହାର ଅବଧି ଶେଷ ହୋଇଛି। ଏ କ୍ଷେତ୍ରରେ କମ୍ପାନୀକୁ ୮ ଥର ଅନ୍ତରୀଣ ଲାଇସେନ୍ସ ଅବଧି ବଢାଯାଇଛି ବୋଲି ଅଧିକାରୀ ଜଣକ ନାମ ଗୋପନ ରଖି ଏହା କହିଛନ୍ତି। ଏହି କମ୍ପାନୀକୁ ଭାରତ ରିକଭରି ନୋଟିସ ଜାରି କରିବେ ବୋଲି ଜଣାପଡିଛି। କାରଣ ଦିଲ୍ଲୀ ହାଇକୋର୍ଟ ସରକାରଙ୍କ ନୀତିକୁ ଠିକ୍‌ ଭାବେ କହିଛନ୍ତି।

Share