Categories: ବାଣିଜ୍ୟ

‘କ୍ରିପ୍ଟୋ’ର ବର୍ଗୀକରଣ କରିବେ ସରକାର

ନୂଆଦିଲ୍ଲୀ,୨୧।୩: ଜିଏସ୍‌ଟି ଆଇନ ଅନୁସାରେ ‘କ୍ରିପ୍ଟୋକରେନ୍ସି’ର ଶ୍ରେଣୀବିଭାଗ କରି ଏହାର କାରବାରର ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ଟିକସ ଆଦାୟ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ‘କ୍ରିପ୍ଟୋ ଏକ୍ସଚେଞ୍ଜସ୍‌’ ଦ୍ୱାରା ଉପଲବ୍ଧ କରାଯାଇଥିବା ସେବାଗୁଡ଼ିକ ଉପରେ କେବଳ ୧୮% ଗୁଡ୍ସ ଆଣ୍ଡ୍‌ ସର୍ଭିସେସ୍‌ ଟ୍ୟାକ୍ସ (ଜିଏସ୍‌ଟି) ଆଦାୟ କରାଯାଇ, ଏହାକୁ ଆର୍ଥିକ ସେବା ଶ୍ରେଣୀଭୁକ୍ତ କରାଯାଇଥାଏ। ଜିଏସ୍‌ଟି ଅଧିକାରୀମାନଙ୍କ ମତରେ ‘କ୍ରିପ୍ଟୋ’ କୌଣସି ଲଟେରି, ଜୁଆ, ବେଟିଂ, ଘୋଡ଼ାଦୌଡ଼ ସହିତ ସମାନ ଏବଂ ଏସବୁର ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ୨୮% ଜିଏସ୍‌ଟି ଲାଗିଥାଏ। ଏହାଛଡ଼ା ସୁନା କ୍ଷେତ୍ରରେ ସମ୍ପୂର୍ଣ୍ଣ କାରବାର ମୂଲ୍ୟ ଉପରେ ୩% ଜିଏସ୍‌ଟି ଲଗାଯାଇଥାଏ। ଏ ସମ୍ପର୍କରେ ଜଣେ ଜିଏସ୍‌ଟି ଅଧିକାରୀ କହିଛନ୍ତି ଯେ, କ୍ରିପ୍ଟୋକରେନ୍ସି ଉପରେ ଜିଏସ୍‌ଟି ଲଗାଇବା ସମ୍ବନ୍ଧରେ ସ୍ପଷ୍ଟତାର ଆବଶ୍ୟକତା ରହିଛି। ତେଣୁ ଏହାର ସମ୍ପୂର୍ଣ୍ଣ ଭ୍ୟାଲ୍ୟୁ ଉପରେ ଜିଏସ୍‌ଟି ଲଗାଇବାକୁ ଆମେ ଚିନ୍ତା କରୁଛୁ। ଏହାଛଡ଼ା କ୍ରିପ୍ଟୋକରେନ୍ସିକୁ ଗୁଡ୍ସ ଏବଂ ସର୍ଭିସେସ୍‌ ଭାବେ ବର୍ଗୀକୃତ କରିବା ସମ୍ପର୍କରେ ମଧ୍ୟ ଆମେ ଆଲୋଚନା କରୁଛୁ। କ୍ରିପ୍ଟୋକରେନ୍ସି କାରବାର ଉପରେ ଜିଏସ୍‌ଟି ଲାଗୁ କରାଗଲେ ଏହି ଦର ୦.୧-୧% ରହିବ। ତେଣୁ ପ୍ରଥମେ କ୍ରିପ୍ଟୋକରେନ୍ସି ବର୍ଗୀକରଣ କରାଯାଇ ପରେ ଏହା ଉପରେ ଲାଗୁ ହେବାକୁ ଥିବା ଜିଏସ୍‌ଟି ରେଟ୍‌ ଉପରେ ଆଲୋଚନା କରାଯିବ ବୋଲି ଜିଏସ୍‌ଟି ଅଧିକାରୀ ଜଣକ କହିଛନ୍ତି।
ସୂଚନାଯୋଗ୍ୟ, ଜିଏସ୍‌ଟି ଆଇନରେ ‘କ୍ରିପ୍ଟୋକରେନ୍ସି’ ସମ୍ବନ୍ଧରେ ସ୍ପଷ୍ଚ ରୂପରେ ଆଲୋଚନା ହୋଇନାହିଁ। ୨୦୨୨-୨୩ ସାଧାରଣ ବଜେଟରେ କ୍ରିପ୍ଟୋ ଆସେଟ୍ସ ଉପରେ ଇନ୍‌ କମ୍‌ ଟ୍ୟାକ୍ସ ଲାଗୁ କରିବା ସମ୍ବନ୍ଧରେ କିଛି ମାତ୍ରାରେ ସ୍ପଷ୍ଟତା ଅଣାଯାଇଛି। ସରକାର କ୍ରିପ୍ଟୋ କରେନ୍ସିକୁ ନିୟନ୍ତ୍ରିତ କରିବା ପାଇଁ ଭିନ୍ନ ଏକ ଆଇନ ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି। ତେବେ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି କଣ୍ଟ୍ରାକ୍ଟ ସାର୍ବଜନୀନ ହୋଇନାହିଁ।

Share