Categories: ବାଣିଜ୍ୟ

ସାର ସବ୍‌ସିଡି ବୃଦ୍ଧିକଲେ ସରକାର

ନୂଆଦିଲ୍ଲୀ:  ସାର ଦର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାର ଦର ଉପରେ ଏକ ବିସ୍ତୃତ ଉପସ୍ଥାପନା ତାଙ୍କ ସମ୍ମୁଖରେ ରଖାଯାଇଥିଲା। ବୈଠକରେ ଚାଷୀଙ୍କ ହିତ ଲାଗି ସରକାର ସାର ସବ୍‌ସିଡି ବୃଦ୍ଧି କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସରକାର ଡିଏପି ଉପରେ ସବ୍‌ସିଡି ପରିମାଣ ୧୪୦% ବୃଦ୍ଧି କରିଛନ୍ତି। ଫଳରେ ଡିଏପି ବସ୍ତା ପିଛା ୫୦୦ ଟଙ୍କା ବଦଳରେ ୧୨୦୦ ଟଙ୍କାର ସବ୍‌ସିଡି ଚାଷୀ ଲାଭ କରିପାରିବେ। ଏଣିକି ୨୪୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କାରେ ଡିଏପି ବସ୍ତା ଚାଷୀ କିଣିପାରିବେ। ଏହି ସବ୍‌ସିଡି ବାବଦରେ ସରକାର ଅତିରିକ୍ତ ୧୪,୭୭୫ କୋଟି ଟଙ୍କା ଖର୍ଚ୍ଚ କରିବେ। ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଚାଷୀ ପୁରୁଣା ଦରରେ ସାର ପାଇବା ଉଚିତ ବୋଲି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେହିଭଳି ସରକାରଙ୍କ ପ୍ରୟାସର ମୂଳରେ ଚାଷୀଙ୍କ କଲ୍ୟାଣ ନିହିତ ବୋଲି ସେ ମତ ପ୍ରକାଶ କରିଛନ୍ତି।
ଅନ୍ତର୍ଜାତୀୟ ସ୍ତରରେ ଫସ୍‌ଫେରିକ ଏସିଡ୍‌, ଆମୋନିଆ ଆଦିର ମୂଲ୍ୟ ବୃଦ୍ଧି ହୋଇଥିବା କାରଣରୁ ଦେଶ ମଧ୍ୟରେ ସାର ଦର ବୃଦ୍ଧି ପାଉଥିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ତେବେ ଏଭଳି ଦର ବୃଦ୍ଧି ସତ୍ତ୍ୱେ ଚାଷୀ ପୁରୁଣା ଦରରେ ସାର ପାଇବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଦର ବୃଦ୍ଧି ଭାର ଯେଭଳି ଚାଷୀଙ୍କ ଉପରେ ନ ପଡ଼େ ତାକୁ ସରକାର ଧ୍ୟାନରେ ରଖିଛନ୍ତି। ଫଳରେ ବ୍ୟୟ ଭାର କେନ୍ଦ୍ର ସରକାର ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ବସ୍ତା ପିଛା ଏକକାଳୀନ ଏତେ ପରିମାଣରେ ସବ୍‌ସିଡି ପୂର୍ବରୁ କେବେ ବୃଦ୍ଧି ହୋଇ ନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଡିଏପି ବସ୍ତା ପିଛା ଦର ୧୭୦୦ ଟଙ୍କା ଥିଲା। ସରକାର ୫୦୦ ଟଙ୍କାର ସବ୍‌ସିଡି ଦେଇଥିବାରୁ କମ୍ପାନୀ ବସ୍ତା ପିଛା ୧୨୦୦ ଟଙ୍କାରେ ଏହାକୁ ବିକ୍ରି କରୁଥିଲେ। ଅନ୍ତର୍ଜାତୀୟ ବଜାରରେ ସାମଗ୍ରୀ ଦର ୬୦ରୁ ୭୦% ବଢିବା ଯୋଗୁ ଡିଏପି ବର୍ତ୍ତମାନ ବସ୍ତା ପିଛା ୨୪୦୦ ଟଙ୍କା ଛୁଇଁଛି। ସରକାରଙ୍କ ବର୍ତ୍ତମାନର ନିଷ୍ପତ୍ତି ପରେ ଚାଷୀ ସେହି ପୁରୁଣା ଦର ୧୨୦୦ ଟଙ୍କାରେ ସାର କ୍ରୟ କରିପାରିବେ। କେନ୍ଦ୍ର ସରକାର ରାସାୟନିକ ସାର ପାଇଁ ପ୍ରତିବର୍ଷ ସବ୍‌ସିଡି ଦେବା ଉପରେ ପ୍ରାୟ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

Share