Posted inଫୁରସତ

ସେଦିନର ଗୌରବ ଆଜି ବିସ୍ମୃତିର ଗର୍ଭରେ

ଭାଙ୍ଗିଛି ମଠ

ଶ୍ରୀକ୍ଷେତ୍ରର ଐତିହ୍ୟ ହଜାର ହଜାର ବର୍ଷ ପରମ୍ପରାରୁ ଗଢିଉଠିଛି। ମହାପ୍ରଭୁଙ୍କ ଉପାସନାର ମୂଲ୍ୟବୋଧକୁ ସର୍ବଭାରତୀୟସ୍ତରରେ ପହଞ୍ଚାଇବାରେ ମଠଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ମଠ ସମ୍ପ୍ରଦାୟର ସାଧୁ ଓ ଶିଷ୍ୟମାନେ ଭାରତର ଯେଉଁ ଅଞ୍ଚଳର ହୁଅନ୍ତୁ ନା କାହିଁକି ଶ୍ରୀଜଗନ୍ନାଥଙ୍କ ସହିତ ଯୋଡି ହୋଇଯାଇଥିଲେ। ତାହାରି ଫଳରେ ମହାପ୍ରଭୁ ଗଣଦେବତା ଭାବେ ସମଗ୍ର ଭାରତବର୍ଷରେ ଆଜି ଉପାସିତ ହେଉଛନ୍ତି। ମଠ ସଂସ୍କୃତିକୁ ନେଇ ଶ୍ରୀକ୍ଷେତ୍ରର ସ୍ବତନ୍ତ୍ର ପରିଚୟ ରହିଛି। ଏଠାରେ ବିଭିନ୍ନ ସମ୍ପ୍ରଦାୟର ପ୍ରାଚୀନ ମଠ ଦେଖିବାକୁ ମିଳେ। ହେଲେ କାଳକ୍ରମେ କେତେକ ମଠ ସତ୍ତା ହରାଇଥିବା ବେଳେ ଏବେ ବି ଅନେକ ମଠ ସନ୍ଥ, ସନ୍ନ୍ୟାସୀଙ୍କ ସ୍‌ମୁତିକୁ ଜାବୁଡ଼ି ଧରିଛି। ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ବହୁ ମଠକୁ ମଧ୍ୟ ମାଟିରେ ମିଶାଇ ଦିଆଯାଇଛି। କେବଳ ମଠ ଇଷ୍ଟଙ୍କ ବିଜେସ୍ଥଳୀ ଏବଂ ପୂଜାର୍ଚ୍ଚନା ପାଇଁ ଉଦ୍ଦିଷ୍ଟ ନିର୍ମାଣକୁ ଛାଡି ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଏକାଧିକ ମଠ କୋଠାକୁ ଭଙ୍ଗାଯାଇଛି।

 

ଲଙ୍ଗୁଳି ମଠ
ଶ୍ରୀମନ୍ଦିର ଐତିହ୍ୟ କରିଡର ମଧ୍ୟରେ ଥିବା ଲଙ୍ଗୁଳି ମଠ ପ୍ରଥମେ ଉଚ୍ଛେଦ ହୋଇଥିଲା। ଏହାକୁ ଅସୁରକ୍ଷିତ ଦର୍ଶାଇ ଗତବର୍ଷ ଅଗଷ୍ଟ ୨୭ ତାରିଖରେ ଭାଙ୍ଗିଥିଲା ପ୍ରଶାସନ। ମଠର ଗାଦିଘର, ଠାକୁରଙ୍କ ବିଜେସ୍ଥଳୀକୁ ବାଦ୍‌ ଦିଆଯାଇ ଆଉ ସବୁ ନିର୍ମାଣକୁ ଉଚ୍ଛେଦ କରାଯାଇଛି। ମଠ କୋଠାରେ ଚାଲୁଥିବା ୨୪ଟି ଦୋକାନ ଘରକୁ ମଧ୍ୟ ଭଙ୍ଗା ଯାଇଛି। ପରବର୍ତ୍ତୀ ସମୟରେ ଏହାକୁ ନେଇ ନାଗା ସାଧୁମାନେ ପ୍ରତିବାଦ କରିଥିଲେ। ଏହି ମଠକୁ ଲାଗି ମେଘନାଦ ପାଚେରି ନିକଟରେ ନାଗା ସାଧୁଙ୍କ ଧୁନା ଗାଦି ରହିଥିଲା। ଏହି ଗାଦିକୁ ବନ୍ଦ କରିଦିଆଯିବାକୁ ନେଇ ବିରୋଧ କରିଥିଲେ ନାଗା ସାଧୁ।
ଏମାର ମଠ
ଲଙ୍ଗୁଳି ମଠ ପରେ ବହୁ ଚର୍ଚ୍ଚିତ ଏମାର ମଠର ପାଳି ପଡିଥିଲା। ଭଙ୍ଗାଯାଇଛି ଏହି ଦ୍ୱାଦଶ ଶତାବ୍ଦୀର ମଠ। ମହନ୍ତଙ୍କ ଅସହଯୋଗ ଯୋଗୁ ଯଦିଓ ଏହାକୁ ସମ୍ପୂର୍ଣ୍ଣ ଭାବେ ଭଙ୍ଗାଯାଇ ନାହିିଁ, କିନ୍ତୁ ଅର୍ଦ୍ଧାଧିକ ଅଂଶ ମାଟିରେ ମିଶିଛି। ଏହି ମଠ ଭାଙ୍ଗିବା ପରେ ମିଳିଥିଲା ଭୂତଳ ଘରର ସନ୍ଧାନ। ଭୂମିଠାରୁ ପ୍ରାୟ ୧୦ରୁ ୧୫ଫୁଟ ତଳକୁ ରହିଥିବା ଏହି ଘର ଉପରକୁ ପ୍ରାୟ ୪୦ ଫୁଟ ରହିଥିଲା। ସମ୍ପୂର୍ଣ୍ଣ ପରିତ୍ୟକ୍ତ ଏବଂ ଅନ୍ଧକାରମୟ ଥିବା ଏହି ଘର ମଠର କୋଠି ଘର (ଧାନ, ଚାଉଳ ରହୁଥିଲା) ଥିଲା। ଏହା ୬ ଥାକିଆ ରହିଥିଲା। ଏହି ମଠ ଇତିହାସ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ଶ୍ରୀ ସମ୍ପ୍ରଦାୟର ଏହି ମଠ ଶ୍ରୀକ୍ଷେତ୍ରର ସବୁଠୁ ପୁରୁଣା ମଠମାନଙ୍କ ମଧ୍ୟରୁ ଅନ୍ୟତମ।
ବାହାରିଥିଲା ୫୨୨
ଖଣ୍ଡ ରୁପା ଇଟା
୨୦୧୧ରେ ଏମାର ମଠରୁ ବାହାରିଥିଲା ୫୨୨ ଖଣ୍ଡ ରୁପା ଇଟା। ଏହା ସେତେବେଳେ କେବଳ ରାଜ୍ୟ ନୁହେଁ, ଦେଶରେ ବି ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ରୁପା ଇଟାର ଓଜନ ପ୍ରାୟ ୧୮ ଟନ୍‌ରୁ ଊର୍ଦ୍ଧ୍ୱ ଥିବାବେଳେ ଆନୁମାନିକ ମୂଲ୍ୟ ୮୦ରୁ ୯୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ରୁପା ଇଟାକୁ ନେଇ କୌଣସି ଫଇସଲା ହୋଇ ନ ଥିବା ବେଳେ ଏହା ପୋଲିସ ହେପାଜତରେ ରହିଛି।
ବଡ଼ଆଖଡ଼ା ମଠ
ଲଙ୍ଗୁଳି ଏବଂ ଏମାର ମଠ ପରେ ତୃତୀୟ ମଠ ଭାବେ ଧରାଶାୟୀ ହୋଇଛି ବଡ଼ ଆଖଡା ମଠ। ଠାକୁରଙ୍କ ବିଜେସ୍ଥଳୀ ଏବଂ ମହନ୍ତଙ୍କ ଆସ୍ଥାନକୁ ବାଦ୍‌ ଦିଆଯାଇ ପ୍ରାୟ ୮୫ ବଖରା ଘରକୁ ମାଟିରେ ମିଶାଇ ଦିଆଯାଇଛି। ଏହି ମଠର ଇତିହାସ ବି ବେଶ୍‌ ଲମ୍ବା। ଶହ ଶହ ବର୍ଷ ଧରି ବାହାର ଆକ୍ରମଣକାରୀଙ୍କ ଆକ୍ରମଣରେ ବହୁ ଘାତ ପ୍ରତିଘାତ ଦେଇ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଜି ବଞ୍ଚତ୍ରହିଛି। ଏହି ଘାତ ପ୍ରତିଘାତ ସମୟରେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା ଶ୍ରୀରାମାନନ୍ଦାଚାର୍ଯ୍ୟଙ୍କ ସମ୍ପ୍ରଦାୟର ନାଗା ସାଧୁମାନଙ୍କର। ଅତୀତରେ ବର୍ଷକୁ ମହାପ୍ରଭୁ ଦୁଇଥର ଶ୍ରୀମନ୍ଦିର ବାହାରକୁ ବିଜେ କରୁଥିଲେ। ଥରେ ଗୁଣ୍ଡିଚା ଯାତ୍ରାରେ ଏବଂ ଥରେ ଦୋଳ ଯାତ୍ରାରେ। ଦୋଳବେଦୀରେ ଅଘଟଣ ଘଟିବା ପରେ ଏବେ ଆଉ ମହାପ୍ରଭୁ ଦୋଳଯାତ୍ରାରେ ବିଜେ କରୁନାହାନ୍ତି।
ମଙ୍ଗୁ ମଠ
ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଲଙ୍ଗୁଳି ମଠ, ଏମାର ମଠ ଏବଂ ବଡ଼ ଆଖଡା ମଠ ଭଙ୍ଗାଯିବା ପରେ ଭଙ୍ଗାଯାଇଛି ମଙ୍ଗୁ ମଠ। ଏହି ମଠ ଉଚ୍ଛେଦକୁ ନେଇ ଏକାଧିକ ପ୍ରତିବନ୍ଧକ ସାମ୍ନାକୁ ଆସିଥିଲା। ମଙ୍ଗୁମଠ ଉଚ୍ଛେଦ କରାଗଲେ ଗୁରୁ ନାନକଙ୍କ ଶ୍ରୀକ୍ଷେତ୍ର ଆଗମନ ସ୍ମୃତି ଲୋପ ପାଇଯିବ ବୋଲି ଦିଲ୍ଲୀ ଗୁରୁଦ୍ୱାର ପ୍ରବନ୍ଧକ କମିଟି ଜିଲାପାଳଙ୍କୁ ଭେଟି ଅନୁରୋଧ କରିଥିଲା। ପଞ୍ଜାବ ମୁଖ୍ୟମନ୍ତ୍ରୀ ଏହି ମଠକୁ ନ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟୁଇଟ୍‌ କରିଥିଲେ।
କେବଳ ଉପରୋକ୍ତ ମଠ ନୁହନ୍ତି, ଶ୍ରୀମନ୍ଦିର ମେଘନାଦ ପାଚେରି କଡରୁ ୭୫ ମିଟର ପରିଧି ମଧ୍ୟରେ ଥିବା ଉତ୍ତର ପାର୍ଶ୍ୱ, ଦକ୍ଷିଣ ପାର୍ଶ୍ୱ, ପଞ୍ଜାବୀ, ସାନଛତା ପ୍ରମୁଖ ଏକାଧିକ ମଠ ଉଚ୍ଛେଦ ହୋଇଛି।
ଶ୍ରୀଜଗନ୍ନାଥ ବଲ୍ଲଭ ମଠ
ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟସ୍ଥଳରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଓ ଉଦ୍ୟାନ ଅବସ୍ଥିତ। ବଗିଚା ମଧ୍ୟରେ ୫ଟି ପୁଷ୍କରିଣୀ ରହିଛି। ମଠ ପୂର୍ବରେ ବଡଦାଣ୍ଡ, ପଶ୍ଚିମରେ ମାର୍କଣ୍ଡେଶ୍ୱର, ଉତ୍ତରରେ ଚୁଡ଼ଙ୍ଗ ସାହି ଓ ଦକ୍ଷିଣରେ ନରେନ୍ଦ୍ର ପୁଷ୍କରିଣୀ ଅବସ୍ଥିତ। ବଲ୍ଲଭ ଶବ୍ଦର ଅର୍ଥ ହେଉଛି ପ୍ରିୟ। ଏହି ଉଦ୍ୟାନ ମହାପ୍ରଭୁଙ୍କ ଅତି ପ୍ରିୟ ହୋଇଥିବାରୁ ଏହାର ନାମ ଶ୍ରୀଜଗନ୍ନାଥ ବଲ୍ଲଭ ହୋଇଥିବା ମନେ କରାଯାଏ।
ଶ୍ରୀଶ୍ରୀକୁଞ୍ଜ ମଠ
ଶ୍ରୀ ଗୌଡ଼ୀୟ ସମ୍ପ୍ରଦାୟର କୁଞ୍ଜମଠ ପୁରୀ ବାଲିସାହିର ଗଣାମଲ୍ଲ ଲେନ୍‌ରେ ଅବସ୍ଥିତ। ପୂର୍ବେ ମଠସ୍ଥଳୀରେ ଶ୍ରୀଜଗନ୍ନାଥଙ୍କର ଫୁଲ ତୋଟାଟିଏ ଥିଲା। ଏହି ତୋଟାରୁ ମହାପ୍ରଭୁଙ୍କ ପାଇଁ ପ୍ରତ୍ୟହ ଫୁଲ ଆସୁଥିଲା। ଏକଦା ରଥଯାତ୍ରା ସମୟରେ ଶ୍ରୀନରୋତ୍ତମ ଠାକୁରଙ୍କ ସହଚର ଶ୍ରୀଶ୍ୟାମାନନ୍ଦ ଓ ତାଙ୍କ ଶିଷ୍ୟ ଶ୍ରୀରସିକାନନ୍ଦ ଚାଲି ଚାଲି ଶ୍ରୀକ୍ଷେତ୍ରକୁ ଆସୁଥିଲେ। ସନ୍ଧ୍ୟା ହୋଇଯିବାରୁ ଶ୍ରୀକ୍ଷେତ୍ରର ପଞ୍ଚକୋଶୀ ମଧ୍ୟରେ ରାତ୍ରିଯାପନ କରିଥିଲେ। ଏହାର ପରଦିନ ଥିଲା ରଥଯାତ୍ରା। ତାଳଧ୍ୱଜ ରଥ ଓ ଦର୍ପଦଳନ ରଥ ଅନାୟାସରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚତ୍ଲା। ହେଲେ ନନ୍ଦିଘୋଷ ଗଡିଲା ନାହିଁ। ମହାପ୍ରଭୁ ମୁଦିରଥଙ୍କୁ ସ୍ବପ୍ନାଦେଶ ଦେଇ କହିଲେ ମୋ ଭକ୍ତ ଶ୍ରୀଶ୍ୟାମାନନ୍ଦ ଓ ଶ୍ରୀରସିକାନନ୍ଦ ଅଠରନଳାଠାରେ ଆସି ପହଞ୍ଚତ୍ଛନ୍ତି। ତୁମ୍ଭେମାନେ ତାଙ୍କୁ ଯତ୍ନପୂର୍ବକ ନେଇ ଆସିବା ପରେ ରଥ ଚାଲିବ। ମୁଦିରଥ ଏକଥା ଗଜପତି ମହାରାଜାଙ୍କୁ ଜଣାଇବା ପରେ ଶୋଭାଯାତ୍ରାରେ ଶ୍ରୀଶ୍ୟାମାନନ୍ଦ ଓ ଶ୍ରୀରସିକାନନ୍ଦଙ୍କୁ ଅଣାଗଲା।
ବଡ଼ ଓଡ଼ିଆ ମଠ
ପୁରୀ ସହରର ବାସେଳୀ ସାହିରେ ବଡ଼ ଓଡ଼ିଆ ମଠ ଅବସ୍ଥିତ। ଏହାକୁ ଓଡ଼ିଆ ଭାଗବତର ରଚୟିତା ତଥା ପଞ୍ଚସଖା ଯୁଗର ଅନ୍ୟତମ ରଥୀ ଅତିବଡ଼ୀ ଜଗନ୍ନାଥ ଦାସ ପ୍ରତିଷ୍ଠା କରିଥିଲେ। ଜନଶ୍ରୁତି ରହିଛି ଉତ୍କଳର ଗଜପତି ପ୍ରତାପରୁଦ୍ର ଦେବଙ୍କ ପାଟ୍ଟମହିଷୀ ଗୌରା ପାଟ ମହାଦେଈ ଅତିବଡ଼ୀଙ୍କ ପ୍ରତିଭାରେ ବିମୁଗ୍ଧ ହୋଇ ଶ୍ରୀମନ୍ଦିର ବାୟୁକୋଣସ୍ଥିତ ତାଙ୍କର ସାମୟିକ ଅବସ୍ଥାନର ଏହି ଉଆସକୁ ଅତିବଡ଼ୀଙ୍କୁ ପ୍ରଦାନ କରିଥିଲେ। ଜଗନ୍ନାଥ ଦାସ ଏହିଠାରେ ରହି ବୈଷ୍ଣବ ଧର୍ମ ଓ ଜଗନ୍ନାଥ ସଂସ୍କୃତି ପ୍ରଚାରରେ ନିମଗ୍ନ ରହିଥିଲେ। ପରବର୍ତ୍ତୀ ସମୟରେ ସେହି ରାଣୀ ଉଆସ ବଡ଼ ଓଡ଼ିଆ ମଠରେ ନାମିତ ହୋଇଥିଲା।
ଦଶାବତାର ମଠ
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରାମାନନ୍ଦୀ ସମ୍ପ୍ରଦାୟର ଦଶାବତାର ମଠ ଅବସ୍ଥିତ। ୧୧ ବର୍ଷ ବୟସରେ ଜୟଦେବ ସମସ୍ତ ପାର୍ଥିବ ମୋହ ତୁଟାଇ ପ୍ରଭୁଙ୍କ ଶରଣାଗତ ହୋଇ ଶ୍ରୀକ୍ଷେତ୍ରକୁ ଯାତ୍ରା କରିଥିଲେ। ପୁରୁଷୋତ୍ତମ କ୍ଷେତ୍ରରେ ପହଞ୍ଚତ୍ ଗୁଣ୍ଡିଚା ମନ୍ଦିର ସମ୍ମୁଖସ୍ଥ ଏକ ଗଛ ମୂଳରେ ଏବଂ ପରେ ଏକ କୁଡ଼ିଆରେ ଅବସ୍ଥାନ କରିଥିଲେ। ଏହିଠାରେ ସେ ଧର୍ମ ଚର୍ଚ୍ଚା ଓ ଭଜନ କୀର୍ତ୍ତନରେ ସମୟ ଅତିବାହିତ କରିଥିଲେ। ଜୟଦେବଙ୍କ ପରବର୍ତ୍ତୀ ଅନୁଗାମୀମାନେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା କୁଡ଼ିଆକୁ ନୂତନ ଭାବେ ନିର୍ମାଣ କରି ଦଶାବତାର ମଠ ନାମରେ ନାମିତ କରିଥିଲେ। ଦ୍ୱାଦଶ ଶତାବ୍ଦୀର ତଥା ବର୍ତ୍ତମାନର ଦଶାବତାର ମଠ ପ୍ରାଙ୍ଗଣ ଥିଲା ଶ୍ରୀଜୟଦେବଙ୍କ ସାଧନା ପୀଠ।
ହାତୀ ଆଖଡ଼ା ମଠ
ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ। ଏହି ମଠ ପ୍ରାୟ ୬୦୦ ବର୍ଷ ତଳର। ଅତୀତରେ ଯବନମାନଙ୍କ ଶ୍ରୀମନ୍ଦିର ଆକ୍ରମଣ ସମୟରେ ଭାରତ ବର୍ଷର ବିଭିନ୍ନ ଆଖଡାର ନାଗା ସାଧୁ ଶ୍ରୀକ୍ଷେତ୍ରକୁ ଆସି ରଥ, ସ୍ନାନ, ଦୋଳଯାତ୍ରାକୁ ସୁରକ୍ଷା ଦେଉଥିଲେ। ଏମାନେ ସ୍ବତନ୍ତ୍ର ଭାବେ ଯୁଦ୍ଧ ବିଦ୍ୟାର ପ୍ରଶିକ୍ଷଣ ପାଇଥିଲେ। ଏମାନଙ୍କର ଉଦ୍ଦେଶ୍ୟ ଥିଲା ଶ୍ରୀଜଗନ୍ନାଥ ଧର୍ମ ଓ ସଂସ୍କୃତିର ସୁରକ୍ଷା କରିବା।

-ହେମନ୍ତ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?