Categories: ଗଜପତି

ଦୁର୍ଗମ ଲବାରସିଂରୁ ଭାରତ ସରକାରଙ୍କ ବରିଷ୍ଠ ବୈଜ୍ଞାନିକ-ଏଫ୍: ଗଜପତିର ଗୌରବ ଡ଼ଃ ସତ୍ୟବାନ ବିଶୋୟୀରତ୍ନ

ମୋହନା,୩ା୯( ମନ୍ମଥ ମିଶ୍ର ): ଗଜପତି ପାଇଁ ଗୌରବ ଆଣିଲେ ଡ଼ଃ. ସତ୍ୟବାନ ବିଶୋୟୀରତ୍ନ । ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଦୁର୍ଗମ ଆଦିବାସୀ ଅଞ୍ଚଳ ଲବାରସିଂ ଗ୍ରାମର ଏକ ସାଧାରଣ ପରିବାରରୁ ଆସି ଆଜି ଭାରତ ସରକାରଙ୍କ ବରିଷ୍ଠ ବୈଜ୍ଞାନିକ-ଏଫ୍ ପଦବୀରେ ପହଞ୍ଚିଛନ୍ତି ଡ଼ଃ ସତ୍ୟବାନ ବିଶୋୟୀରତ୍ନ । ନିକଟରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟାଳୟ ଆଦେଶ ଅନୁଯାୟୀ ସେ ବୈଜ୍ଞାନିକ-ଇ ପଦରୁ ବୈଜ୍ଞାନିକ-ଏଫ୍ ପଦକୁ ପଦୋନ୍ନତି ପାଇଛନ୍ତି। ଏହି ସଫଳତା କେବଳ ତାଙ୍କ ବ୍ୟକ୍ତିଗତ କୃତିତ୍ୱ ନୁହେଁ, ବରଂ ସମଗ୍ର ଗଜପତି ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।
୧୯୮୦ ମସିହାରେ ଲବାରସିଂ ଗ୍ରାମର ଏକ ସାଧାରଣ ମାଟିଝାଟି ଘରେ ଜନ୍ମଗ୍ରହଣ କରିଥିବା ଡ଼ଃ. ରତ୍ନଙ୍କ ପିତା ତ୍ରିନାଥ ବିଶୋୟୀରତ୍ନ ଜଣେ ଅବସରପ୍ରାପ୍ତ ବନପାଳ ଏବଂ ମାତା ମଣିମାଳା ବିଶୋୟୀ ରତ୍ନ ଗୃହିଣୀ। ପାହାଡ଼, ଜଙ୍ଗଲ ଓ ଦୁର୍ଗମ ପରିବେଶ ମଧ୍ୟରେ ଆର୍ଥିକ ଅନାଟନ ସହ ତାଙ୍କ ପିଲାବେଳ କଟିଥିଲା। ବିଦ୍ୟୁତ, ଯୋଗାଯୋଗ ଓ ଶିକ୍ଷାର ଆଧୁନିକ ସୁବିଧାରୁ ବହୁ ଦୂରରେ ଥିବା ସେହି ଅଞ୍ଚଳରେ ରହି ମଧ୍ୟ ସେ ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ସଫଳତାର ଶିଖର ଛୁଇଁବାରେ ସମର୍ଥ ହୋଇଥିଲେ।
ରାମଗିରି ଏବଂ ପୁଡାମାରୀରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଶେଷ କରିବା ପରେ ସେ ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ଓ ବିଜ୍ଞାନ ସ୍ନାତକ ଶିକ୍ଷା ହାସଲ କରିଥିଲେ। ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସାମୁଦ୍ରିକ ବିଜ୍ଞାନରେ ସ୍ନାତକୋତ୍ତର, ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ବାୟୁମଣ୍ଡଳୀୟ ବିଜ୍ଞାନରେ ପ୍ରଯୁକ୍ତି ସ୍ନାତକୋତ୍ତର ଏବଂ ପାଣିପାଗ ବିଜ୍ଞାନରେ ଡକ୍ଟରେଟ୍ ଉପାଧି ହାସଲ କରିଥିଲେ।

୨୦୧୦ ରୁ ୨୦୨୧ ପର୍ଯ୍ୟନ୍ତ ସେ ଜାପାନ, ଇଟାଲୀ ଓ ବ୍ରିଟେନର ବିଭିନ୍ନ ବିଶ୍ୱପ୍ରସିଦ୍ଧ ଗବେଷଣା ସଂସ୍ଥାରେ କାର୍ଯ୍ୟ କରି ବିଶ୍ୱସ୍ତରୀୟ ପାଣିପାଗ ଓ ଜଳବାୟୁ ଗବେଷଣାରେ ନିମଗ୍ନ ରହିଥିଲେ । ବିଦେଶରେ ୧୧ ବର୍ଷ କାର୍ଯ୍ୟ କରିବା ପରେ ସେ ଦେଶକୁ ଫେରି ଭାରତୀୟ ପାଣିପାଗ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ ଯୋଗଦାନ କରିଥିଲେ ।

 

Dharitri – Odisha’s No.1 Odia Daily

Share