Categories: ବାଣିଜ୍ୟ

ବିଶ୍ୱ ଋଣ ଭାର ୨୨୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୭।୧୦: କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱ ବିଭିନ୍ନ କ୍ଷେତ୍ରରେ ମାନ୍ଦା ରହିବା ସାଙ୍ଗକୁ ଅନେକ ସମସ୍ୟା ଦେଇ ଗତି କରିଛି। ସେହିଭଳି ସଂକ୍ରମଣରୁ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା ସହିତ ଆର୍ଥିକାବସ୍ଥାର ଉନ୍ନତି ପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ଦେଶବାସୀଙ୍କ ସୁରକ୍ଷା ପାଇଁ ବିଶ୍ୱ ଋଣ ପରିମାଣ ୨୨୬ ଲକ୍ଷ କୋଟି ଡଲାରରେ ପହଞ୍ଚିଛି।
ଏ ସମ୍ପକରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟରୁ ଏହାର ବିସ୍ତୃତ ସୂଚନା ଜଣାପଡ଼ିଛି। ୨୦୨୦ରେ ଭାରତର ଋଣ ଏହାର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୮୯.୬% ଥିବାବେଳେ ଚଳିତ ବର୍ଷ ୯୦.୬% କୁ ବୃଦ୍ଧି ପାଇବା ନେଇ ଆଇଏମ୍‌ଏଫ୍‌ ଅନେକ କିଛି ଆକଳନ କରିଛି। ୨୦୨୦ରେ ବିଶ୍ୱର ମୋଟ ଋଣ ପରିମାଣରେ ବିକଶିତ ଅର୍ଥନୀତି ଏବଂ ଚାଇନାରେ ମଧ୍ୟ ୯୦%ରୁ ଅଧିକ ଭାଗ ରହିଥିଲା। ଅବଶିଷ୍ଟ ବିକାଶମୁଖୀ ଅର୍ଥନୀତି ଏବଂ ନିମ୍ନ ଆୟକାରୀ ବିକାଶମୁଖୀ ରାଷ୍ଟ୍ରଗୁଡ଼ିକର ଭାଗ ବିଶ୍ୱ ଋଣ ପରିମାଣର ପ୍ରାୟ ୭% ରହିଥିବା ରିପୋର୍ଟରୁ ଜଣାପଡ଼ିଛି।
ଏହି ଅବସରରେ ଆଇଏମ୍‌ଏଫ୍‌ର ନିର୍ଦ୍ଦେଶକ (ଆର୍ଥିକ ବ୍ୟାପାର ବିଭାଗ) ଭିଟୋର ଗ୍ୟାସ୍ପର କହିଛନ୍ତି, କୋଭିଡ୍‌-୧୯ ଏବଂ ଏହାକୁ ମୁକାବିଲା କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ବିଶ୍ୱ ଋଣ ସ୍ତର ବୃହତ୍‌ ମାତ୍ରାରେ ବୃଦ୍ଧି ପାଇଛି। ତେବେ ଏହି ଋଣ ବିତ୍ତୀୟ ସ୍ଥିରତାକୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତି। ସରକାରୀ ଋଣ, ପାରିବାରିକ ଏବଂ ଅଣ-ବିତ୍ତୀୟ କର୍ପୋରେଶନଗୁଡିକର ଋଣ ବୃଦ୍ଧି ଯୋଗୁ ୨୦୨୦ରେ ବିଶ୍ୱ ଋଣ ୨୨୬ଲକ୍ଷ କୋଟି ଡଲାରକୁ ବୃଦ୍ଧି ପାଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆଇଏମ୍‌ଏଫ୍‌ ରିପୋର୍ଟ ଅନୁସାରେ ୨୦୧୬ରେ ଭାରତର ଋଣ ଏହାର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୬୮.୯% ଥିଲା । ବିଭିନ୍ନ କାରଣ ଯୋଗୁ ଏହା ୨୦୨୦ରେ ୮୯.୬%କୁ ବୃଦ୍ଧି ପାଇଛି। ୨୦୨୧ରେ ଏହା ୯୦.୬%କୁ ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ୨୦୨୨ରେ ଯାଇ ଏହା ୮୮.୮%କୁ ଖସିବ ଏବଂ ୨୦୨୬ରେ ୮୫.୨%କୁ କମିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ଆଇଏମ୍‌ଏଫ୍‌ ଅନୁସାରେ ଚଳିତ ବର୍ଷ ବିଶ୍ୱ ଋଣ ପରିମାଣ ହ୍ରାସ ଘଟିପାରେ।

Share