ଭଙ୍ଗାଯାଉନି ଗିରି ମାର୍କେଟ କୋଠା

ବ୍ରହ୍ମପୁର ଅଫିସ,୧୩ା୯:ବ୍ରହ୍ମପୁର ସହରର ହୋଲ୍‌ସେଲ୍‌ ବାଣିଜ୍ୟ ପେଣ୍ଠସ୍ଥଳୀ କହିଲେ ଗିରି ମାର୍କେଟ ବେଶ୍‌ ପରିଚିତ। ଏହି ମାର୍କେଟ ପ୍ରାୟ ୫୦ ବର୍ଷ ପୁରୁଣା। ଉକ୍ତ ମାର୍କେଟ ଉପରେ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡ଼ିଶାର ଅନେକ ବ୍ୟବସାୟୀ ନିର୍ଭରଶୀଳ। ଏହି ମାର୍କେଟ ୧୯୭୪ ମେ ୨୪ ରେ ପ୍ରତିଷ୍ଠା ହୋଇଥିଲା। ଏହାକୁ ତତ୍କାଳୀନ ରାଷ୍ଟ୍ରପତି ଭି.ଭି.ଗିରି ଉଦ୍‌ଘାଟନ କରିଥିଲେ। କିନ୍ତୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏହା ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ବଜାରରେ ୧୫୦ରୁ ଊର୍ଦ୍ଧ୍ୱ ଦୋକାନ ଗୃହ ରହିଛି। ଜରାଜୀର୍ଣ୍ଣ କୋଠାଟି କେତେବେଳେ ଭୁଶୁଡ଼ି ପଡ଼ିବ ସେ ନେଇ ସ୍ଥାନୀୟ ବ୍ୟବସାୟୀ ଆତଙ୍କିତ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କୋଠାଟିକୁ ଭାଙ୍ଗିବା ପାଇଁ ବାରମ୍ବାର ନୋଟିସ ଦିଆଯାଉଥିଲେ ସୁଦ୍ଧା ଏ ଯାଏ ଏହାକୁ ଭଙ୍ଗାଯାଉ ନାହିଁ। ଫଳରେ ୨ ଦିନ ଧରି ଲଗାଣ ବର୍ଷାରେ କୋଠାଟି ଆହୁରି ଦୟନୀୟ ହୋଇ ପଡିଛି। ଆଗାମୀ ଦିନରେ ଆଉ ଏକ ଲଘୁଚାପ ବର୍ଷା ଆଶଙ୍କା ଥିବା ବେଳେ ବର୍ଷାରେ କୋଠା କ୍ଷୟକ୍ଷତି ସାଙ୍ଗକୁ ବ୍ୟବସାୟୀ ମଧ୍ୟ କ୍ଷତି ସହିବେ ବୋଲି ମତ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ବଜାରର ଉନ୍ନତୀକରଣ ନେଇ ମେ ୧୩ରେ ବିଏମ୍‌ସି କାଉନସିଲ ବୈଠକରେ ଆଲୋଚନା ହୋଇଥିଲା। ଉନ୍ନତୀକରଣ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର ମଧ୍ୟ ହୋଇଥିଲା। ଏଥିସହ ଉକ୍ତ ବଜାରର ବ୍ୟବସାୟୀଙ୍କୁ ଜାଗା ସ୍ଥାନାନ୍ତର ପାଇଁ ନୋଟିସ ମଧ୍ୟ ଦିଆଯାଇଥିଲା। ତତ୍‌ସହିତ ଅଗଷ୍ଟ ୧୫ ପୂର୍ବରୁ ଗିରି ମାର୍କେଟ କୋଠା ଭଙ୍ଗାଯିବା ପାଇଁ ବିଏମ୍‌ସି ପକ୍ଷରୁ ଯୋଜନା କରାଯାଇଥିଲା। କିନ୍ତୁ ଯୋଜନାର ୧ ମାସ ପୂରିବାକୁ ବସିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୋଠା ଭାଙ୍ଗିବା କ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏ ନେଇ ବିଏମ୍‌ସିର ଜଣେ ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ କହିଛନ୍ତି, ମାର୍କେଟର ଉପର ମହଲାରେ ଥିବା ଅନେକ ବ୍ୟବସାୟୀ ମୀନାକ୍ଷୀନଗରଠାରେ ଥିବା ମାର୍କେଟ କମ୍ପ୍ଲେକ୍ସକୁ ଦୋକାନ ଗୃହ ସ୍ଥାନାନ୍ତର କରି ସାରିଛନ୍ତି। କିନ୍ତୁ ତଳ ମହଲାରେ ଥିବା ବ୍ୟବସାୟୀମାନେ ଏ ଯାଏ ସ୍ଥାନାନ୍ତର ହୋଇନାହାନ୍ତି। ଏହାଦ୍ୱାରା ବିଏମ୍‌ସିକୁ କୋଠା ହସ୍ତାନ୍ତର ହୋଇପାରି ନାହିଁ। ଫଳରେ କୋଠା ଭଙ୍ଗାଯିବା ନେଇ ବାଧା ଉପୁଜିଥିବା ସେ କହିଛନ୍ତି। ଅନ୍ୟପଟେ ବ୍ୟବସାୟୀ ଉମେଶ ସୁବୁଦ୍ଧି କହିଛନ୍ତି, କୋଠା ଭାଙ୍ଗିବା ପାଇଁ ବିଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏଥିସହ ବ୍ୟବସାୟୀଙ୍କୁ ସ୍ଥାନାନ୍ତର ପାଇଁ ବିଏମ୍‌ସି ପକ୍ଷରୁ କୌଣସି ଜାଗା ଦିଆଯାଇ ନ ଥିବା ସେ କହିଛନ୍ତି।