ଗଞ୍ଜାମ-ଖୋର୍ଦ୍ଧା ଚେକ୍‌ପୋଷ୍ଟ ଅନୁଧ୍ୟାନ କଲେ ଗଞ୍ଜାମ ଏସ୍‌ପି, କେବଳ ମେଡିକାଲ ଯିବାକୁ ଦେଲେ ଅନୁମତି

ଛତ୍ରପୁର,୧୯ା୭(ଡି.ଏନ୍‌.ଏ.) : ଗଞ୍ଜାମ-ଖୋର୍ଦ୍ଧା ସୀମା ଗୁରାପଲି ଚେକ୍‌ପୋଷ୍ଟରେ ପହଞ୍ଚି ଏସ୍‌ପି ବ୍ରିଜେଶ କୁମାର ରଏ ଅନୁଧ୍ୟାନ କରିଛନ୍ତି। କେବଳ ମେଡିକାଲ କେସ ପାଇଁ ଜିଲା ବାହାରକୁ ଛଡ଼ାଯାଉଛି। ତେବେ ଉପଜିଲାପାଳଙ୍କ ପାସ୍‌ ଦେଖାଇବାକୁ ପଡ଼ିବ ବୋଲି ଏସ୍‌ପି କହିଛନ୍ତି। ଉକ୍ତ ଚେକ୍‌ପୋଷ୍ଟର ଅନୁଧ୍ୟାନ କରିବା ସହ ଲକ୍‌ଡାଉନ୍‌ ପରିସ୍ଥିତିର ସେ ସମୀକ୍ଷା କରିଥିଲେ। ଅଯଥାରେ ଗାଡ଼ି ଚଳାଚଳ ଅନୁମତି ନ ଦେବାକୁ ପୋଲିସ ଅଧିକାରୀଙ୍କୁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ ବ୍ୟତୀତ ଅଯଥାରେ ଘରକୁ ନ ବାହାରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଜିଲାରେ ଏବେ ଲକ୍‌ଡାଉନ୍‌ ଜାରି ରହିଛି। କେବଳ ଅତ୍ୟାଶ୍ୟକୀୟ ସାମଗ୍ରୀ ପାଇଁ ଲୋକଙ୍କୁ ଛଡ଼ାଯିବ ଏବଂ ସବୁଠି ପୋଲିସ ଚେକିଂ ଜାରି ରହିବ ବୋଲି ଏସ୍‌ପି କହିଛନ୍ତି। ଏଥିସହ ଥାନାକୁ ନ ଯାଇ ୧୦୦ ନମ୍ବର କିମ୍ବା ଥାନା ଅଧିକାରୀଙ୍କ ମୋବାଇଲକୁ ଫୋନ୍‌ କରି ଅଭିଯୋଗ ଜଣାନ୍ତୁ। ବର୍ତ୍ତମାନ ପୋଲିସକୁ ସାହାଯ୍ୟ କରନ୍ତୁ। କୋଭିଡ୍‌ ଗାଇଡଲାଇନ୍‌ ପାଳନ କରିବାକୁ ସେ କହିଥିଲେ। ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି କହିଛନ୍ତି। ଜିଲାର ବିଭିନ୍ନ ଥାନା ଅଞ୍ଚଳକୁ ଯାଇ ପୋଲିସର ଚେକ୍‌ପୋଷ୍ଟ, ଏନ୍‌ଫୋର୍ସମେଣ୍ଟକୁ ଏସ୍‌ପି ଅନୁଧ୍ୟାନ କରିଛନ୍ତି। ଅମାନିଆମାନଙ୍କୁ ଏସ୍‌ପି ନିଜେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ମାନିବା ଓ ଘରୁ ନ ବାହାରିବାକୁ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା।