୨୪ ଘଣ୍ଟିଆ ହେଲ୍ପଲାଇନ‌ ନମ୍ବର ଜାରି କଲା ଗଞ୍ଜାମ ଜିଲା ପ୍ରଶାସନ

ଛତ୍ରପୁର,୯ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଥିବା ଟାଟା କୋଭିଡ୍‌ ହସ୍ପିଟାଲ, ପାରଳା ମହାରାଜା, ଭଞ୍ଜନଗର ଓ ହିଞ୍ଜିଳି କୋଭିଡ୍‌ କେୟାର ସେଣ୍ଟରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ହେଉଛି। ବିଶେଷକରି ଶିତଳାପଲି ଟାଟା କୋଭିଡ୍‌ ହସ୍ପିଟାଲ ଓ ପାରଳା ମହାରାଜା କୋଭିଡ୍‌ କେୟାର ସେଣ୍ଟରରେ ଚିକିତ୍ସା, ପାଣି, ଖାଦ୍ୟ, ପରିମଳ ସମ୍ବନ୍ଧୀୟ ଅବ୍ୟବସ୍ଥା ନେଇ ବାରମ୍ବାର ଭିଡିଓ ଭାଇରଲ ହେଉଛି। ଏହି ପରିପ୍ରେକ୍ଷୀରେ ଉକ୍ତ କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟରର ରୋଗୀମାନେ ଅଭିଯୋଗ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଲ୍‌ ସେଣ୍ଟର ଖୋଲାଯାଇଛି। ମୋବାଇଲ ନମ୍ବର ୮୧୧୮୦୬୬୩୭୦କୁ ଫୋନ୍‌ କରି କରୋନା ଆକ୍ରାନ୍ତ ଅଭିଯୋଗ, ଲକ୍ଷଣ ଏବଂ ହୋମ୍‌ କ୍ୱାରାଣ୍ଟାଇନ୍‌ ସମସ୍ୟା ସମ୍ପର୍କରେ ଜଣାଇପାରିବେ। ଏନେଇ ଗୁରୁବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।ଏଥିସହ ଛତ୍ରପୁର ସବ୍‌ଡିଭିଜନସ୍ତରୀୟ କୋଭିଡ୍‌-୧୯ ହେଲ୍ପଲାଇନର ଆରମ୍ଭ କରାଯାଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ, ଜରୁରୀ ପାସ ଓ ଅଭିଯୋଗ ସମ୍ପର୍କରେ ହେଲ୍ପଲାଇନ ନମ୍ବର ୮୪୮୦୮୩୮୬୦୩କୁ ଦୈନିକ ପୂର୍ବାହ୍ନ ୧୦ଟାରୁ ୫ଟା ୩୦ମଧ୍ୟରେ ଫୋନ୍‌ କିମ୍ବା ହ୍ବାଟ୍ସଆପ୍‌ କରି ଜଣାଇପାରିବେ।