ଧର୍ମଶାଳା,୨୪ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ବ୍ରାହ୍ମଣୀ ନଦୀର ନୂଆହାଟଠାରୁ ଜନ୍ମ ନେଇଥିବା ଦପାନାଳ ଦିନେ ଲୋକଙ୍କ ବରଦାନ ପାଲଟିଥିଲା। ଚାଷକାର୍ଯ୍ୟଠାରୁ ଆରମ୍ଭ କରି ମତ୍ସ୍ୟଜୀବୀ ପର୍ଯ୍ୟନ୍ତ
ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ରେଖା ପାଲଟିଥିଲା। ପାଖାପାଖି ଶହଶହ ଲୋକେ ଏହା ଉପରେ ନିର୍ଭର କରିଥିଲେ। କିନ୍ତୁ ଦୀର୍ଘବର୍ଷ ହେବ ଏହା ଦଳରେ ଭର୍ତ୍ତି ହୋଇରହିଛି। ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି। ସାଧାରଣ ଲୋକେ ଏହା ମଧ୍ୟକୁ ଯିବାକୁ ଭୟ କରୁଛନ୍ତି। ଅପରିଷ୍କାର ପରିବେଶ ସୃଷ୍ଟି ହୋଇଛି। ଏହି ପାଣି ବ୍ୟବହାର କରିବା ଦ୍ୱାରା ନାନା ପ୍ରକାର ରୋଗ ହେଉଛି।
ସମୟ ଥିଲା ଯେତେବେଳେ ରସୁଲପୁର ପଞ୍ଚାୟତର କଲଣ, ନଥୁଆବର, ଓଡ଼ିସୋ, ବଡ଼ କଇଁଚି ଭଳି ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଲୋକେ ଏହି ନାଳ ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରୁଥିଲେ। ଏହିଠାରୁ ପନିପରିବା ଚାଷ କରାଯାଇ ବାରବାଟି ପରିବା ମାର୍କେଟରେ ପହଞ୍ଚି ସାରା ରାଜ୍ୟକୁ ସ୍ଥାନାନ୍ତର ହୋଇଥାଏ। ଯାହା ଫଳରେ ପରିବା ଅମଳ ଅଧିକ ହେବା ଦ୍ୱାରା ଚାଷୀ ଚାଷ କରି ଉପକୃତ ହୋଇଥାଏ। କିନ୍ତୁ ଦୀର୍ଘ ବର୍ଷ ହେବ ଏହା ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇପଡ଼ିଛି। ଯାହା ଦ୍ୱାରା ଅନେକ ଚାଷୀ ପନିପରିବା ଚାଷରୁ ବଞ୍ଚିତ ହେଉଥିବା କହିଛନ୍ତି। ଯାହା ଫଳରେ ପନିପରିବା ଅମଳ କମିବା ସହ ଦର ଆକାଶ ଛୁଆଁ ହେଉଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପୂର୍ବ ସରକାର ସମୟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏହା ସମସ୍ୟା ଘେରରେ ରହିଛି। ନୂତନ ସରକାର ଏବଂ ସ୍ଥାନୀୟ ବିଧାୟକ ଦୃଷ୍ଟି ଦେବା ସହ ଏହାର ପୁନରୁଦ୍ଧାର ନିମନ୍ତେ ଦାବି ହୋଇଛି।

