କରୋନାରୁ ସୁସ୍ଥ ହେଲେ ରାଜ୍ୟର ପ୍ରଥମ ପ୍ଲାଜମା ନେଇଥିବା ମହିଳା

କଟକ ଅଫିସ,୨୪।୭: ପ୍ଲାଜମା ଦେଲା ନୂଆ ଜୀବନ। ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ତଥା ପ୍ରଥମ ପ୍ଲାଜମା ନେଇଥିବା ୪୮ ବର୍ଷୀୟ ମହିଳା ସୁସ୍ଥ ହୋଇଛନ୍ତି। ତାଙ୍କୁ ଶୁକ୍ରବାର ଡିସ୍‌ଚାର୍ଜ କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ, ଗତ ୧୫ ତାରିଖ ବିଳମ୍ବିତ ରାତିରେ ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସା ଆରମ୍ଭ କରାଯାଇଥିଲା। ଧିରେ ଧିରେ ଉକ୍ତ ମହିଳାଙ୍କଠାରେ ପ୍ଲାଜମା ଥେରାପି କାମ କରିବାରୁ ତାଙ୍କୁ ଆଉ ଅକ୍ସିଜେନ୍‌ ସପୋର୍ଟରେ ରଖିବାକୁ ପଡ଼ିଲା ନାହିଁ। ପରେ ଉକ୍ତ ମହିଳା ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏଯାବତ ମୋଟ ୧୩ କରୋନା ରୋଗୀଙ୍କୁ ପ୍ଲାଜମା ଥେରାପି ଦିଆଯାଉଥିବା ବେଳେ ସମସ୍ତେ ସୁସ୍ଥ ହେଉଥିବା ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଛି।