Categories: ବାଣିଜ୍ୟ

କଟକରେ ଲାଲ୍‌ଚାନ୍ଦ୍‌ ଗ୍ରୁପ୍‌ର ପ୍ରଥମ ପଞ୍ଚତାରକା ହୋଟେଲ

ଚୌଦ୍ୱାର,୨୧।୫(ଡି.ଏନ୍‌.ଏ.) କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନ ନୂଆପାଟଣାଠାରେ ଲାଲ୍‌ଚାନ୍ଦ୍‌ ଗ୍ରୁପ୍‌ ପକ୍ଷରୁ ପ୍ରଥମ ପଞ୍ଚତାରକା ହୋଟେଲ ‘ଦି ନ୍ୟୁ ମାରିଅନ୍‌’ର ନିର୍ମାଣ ପାଇଁ ଶୁକ୍ରବାର ଏହାର ଶିଳାନ୍ୟାସ ହୋଇଯାଇଛି। ଏଥିରେ ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ। ଏହା କଟକ ଜିଲାର ପ୍ରଥମ ପଞ୍ଚତାରକା ହୋଟେଲ ବୋଲି ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିବା ଅତିଥି ମତବ୍ୟକ୍ତ କରିଥିଲେ। ପ୍ରାୟ ୧୨ ଏକର ଜମି ଓ ୭୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ହୋଟେଲ ନିର୍ମାଣ କରାଯିବ। ଏଥିରେ ୩୦ଟି ସ୍ବତନ୍ତ୍ର ଭିଲ୍ଲା, ୬୦ ବିଳାସପୂର୍ଣ୍ଣ ସୁଟ୍‌, ସମ୍ମିଳନୀ କକ୍ଷ, ବୃହତ୍‌ ଡାଇନିଂ ହଲ୍‌, ରେଷ୍ଟୁରାଣ୍ଟ, ଶପିଂମଲ୍‌, ସୁଇମିଂପୁଲ୍‌, ଲନ୍‌, ସେଲୁନ୍‌, ସ୍ପା ଓ ହେଲ୍‌ଥ କ୍ଲବ୍‌ ରହିବ ବୋଲି ହୋଟେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥିରେ ୧୬୦ରୁ ଊର୍ଦ୍ଧ୍ୱ ଲୋକ ନିଯୁକ୍ତି ପାଇବେ। ଏହି ହୋଟେଲ ପର୍ଯ୍ୟଟକମାନଙ୍କୁ ବିଶେଷଭାବେ ଆକୃଷ୍ଟ କରିବ ବୋଲି ଲାଲ୍‌ଚାନ୍ଦ୍‌ ଗ୍ରୁପ୍‌ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସଞ୍ଜୟ ହଂସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନା ଦ୍ୱାରା ଗତ ୨ ଦଶନ୍ଧି ମଧ୍ୟରେ ରାଜ୍ୟରେ ଶିଳ୍ପ, କ୍ରୀଡ଼ା, ସ୍ବାସ୍ଥ୍ୟସେବା, ପର୍ଯ୍ୟଟନ ଆଦି କ୍ଷେତ୍ରରେ ବିକାଶ ହୋଇଛି। ଏ ଦିଗରେ ଆମର ନୂତନ ଉଦ୍ୟମ ଏହାର ପ୍ରତିଫଳନ। ପର୍ଯ୍ୟଟକଙ୍କୁ ମନୋରଞ୍ଜନ ଯୋଗାଇଦେବା, ରାଜ୍ୟର ପ୍ରମୁଖ ୱେଡିଂ ଭେନ୍ୟୁରେ ପରିଣତ କରିବା, ଦେଶ ତଥା ଦେଶ ବାହାର ପର୍ଯ୍ୟଟକମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ଲକ୍ଷ୍ୟରେ ଏହି ହୋଟେଲ ନିର୍ମାଣ ହେବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣା ଓ ସହାୟତା ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାରୁ ସେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଲାଲଚାନ୍ଦ୍‌ ଗ୍ରୁପ୍‌ର ଅମ୍ରିତା ହଂସ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଜିଲାପାଳ ଭବାନୀ ଶଙ୍କର ଚୟନୀ, ଅତିରିକ୍ତ ଜିଲାପାଳ ବିଜୟ ଖଣ୍ଡାୟତରାୟ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କର, ଟାଙ୍ଗୀ-ଚୌଦ୍ୱାର ବିଡ଼ିଓ ଆଶୁତୋଷ ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମକର୍ତ୍ତା ଯୋଗଦେଇଥିଲେ।

Share