ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା: ୨ ପରିବାର ସର୍ବସ୍ବାନ୍ତ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ମହାକାଳପଡ଼ା,୨୮ା୬(ଡି.ଏନ୍‌‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଜମ୍ବୁ ପଞ୍ଚାୟତ ବ୍ରିଟିଶ୍‌ କୋଠା ନିକଟରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ସମସ୍ତ ଆସବାବପତ୍ର ସହ ଧାନ, ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜଳିଯାଇଛି। ତେବେ ରାତିରେ ପରିବାର ଲୋକ ଶୋଇଥିବା ବେଳେ କୌଣସି କାରଣ ବଶତଃ ଏହି ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଝୁଲ ଉପରୁ ଖସିବା ପରେ ପରିବାର ଲୋକ ଉଠି ଡାକ ଛାଡ଼ିଥିଲେ। ପଡ଼ୋଶୀ ପହଞ୍ଚିବା ବେଳକୁ ସବୁ ପୋଡ଼ି ଛାରଖାର ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇଥିଲେ ମଧ୍ୟ କେହି ମୃତାହତ ହୋଇ ନ ଥିବା କୁହାଯାଇଛି। ଅଗ୍ନି ବିପନ୍ନ ପରିବାର ହେଲେ ଗୌର ଭୂୟାଁ ଓ ନିତାଇ ଭୂୟାଁ। ଖବର ପାଇ ଜମ୍ବୁ ସରପଞ୍ଚ ପଞ୍ଚମୀ ମଣ୍ଡଳ ବିପନ୍ନ ପରିବାରକୁ ଭେଟି ଶୁଖିଲା ଖାଦ୍ୟ ସହ ଲୁଗାପଟା ବଣ୍ଟନ କରିଛନ୍ତି। ପେଟଛେଲା ସର୍କଲ ରାଜସ୍ବ ନିରୀକ୍ଷକ ଅଲେଖ ଚନ୍ଦ୍ର ତରାଇ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ରିପୋର୍ଟ ପରେ ସରକାରୀ ନିୟମ ଅନୁସାରେ ସହାୟତା କରାଯିବ ବୋଲି କହିଛନ୍ତି। ବର୍ତ୍ତମାନ ବିପନ୍ନ ପରିବାର ଖୋଲା ଆକାଶ ତଳେ ବସିଛନ୍ତି।