ନୂଆଦିଲ୍ଲୀ,୮୧୦
ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫାରେ ବିକ୍ଷୋଭ ବନ୍ଦ ହୋଇଯିବ ନାହିଁ ବୋଲି ସିଜେପି ବୁଧବାର ଚେତାବନୀ ଦେଇଛି।
ସିଜେପି ସହଆବାହାକ ସୌରଭ ଦାସ କହିଛନ୍ତି, ଜ୍ଞାନେଶ କୁମାର ଇସ୍ତଫା ଦେଲେ ମଧ୍ୟ ବିକ୍ଷୋଭକାରୀ ପଛକୁ ହଟିବେ ନାହିଁ। କାରଣ ନିର୍ବାଚନ ବ୍ୟବସ୍ଥା ସ୍ବଚ୍ଛ ହେବା ଆବଶ୍ୟକ। ଆସନ୍ତା୧୦ରେ ସିଇସିଙ୍କ ବିରୋଧରେ ବିକ୍ଷୋଭ ପୂର୍ବରୁ ଏକାଠି ହେବାକୁ ସିଜେପି ଏବଂ ଛାତ୍ର ସଂଗଠନଗୁଡ଼ିକ ଆହ୍ବାନ ଦେଇଛନ୍ତି।
ଖବରଦାତା ସମ୍ମିଳନୀରେ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏଶନ (ଏଆଇଏସ୍ଏ), ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଫେଡେରେଶନ (ଏଆଇଏସ୍ଏଫ୍), ଷ୍ଟୁଡେଣ୍ଟସ୍ ଫେଡେରେଶନ ଅଫ୍ ଇଣ୍ଡିଆ (ଏସ୍ଏଫ୍ଆଇ) ଏବଂ ଆମ୍ ଆଦ୍ମୀ ପାର୍ଟିର ଛାତ୍ର ସଂଗଠନ ଆସୋସିଏଶନ ଅଫ୍ ଷ୍ଟୁଡେଣ୍ଟସ୍ ଫର୍ ଅଲ୍ଟରନେଟିଭି୍ ପଲିଟିକ୍ସ (ଏଏସ୍ଏପି)ର ପ୍ରତିନିଧିମାନେ ଯୋଗ ଦେଇଥିଲେ।
ସିଜେପି ଏବଂ ଛାତ୍ର ସଂଗଠନଗୁଡ଼ିକର ଦାବି ମଧ୍ୟରେ ରହିଛି, ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ତାଙ୍କ ବିରୋଧରେ ଆପରାଧିକ ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ, ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ରଦ୍ଦ କରିବା, ଆଗାମୀ ନିର୍ବାଚନକୁ ସ୍ଥଗିତ ରଖିବା, ୨୦୨୫ ଜାନୁଆରୀର ଭୋଟର ତାଲିକାକୁ କାଏମ ରଖିବା ଓ ଏକ ନିରପେକ୍ଷ ତଦନ୍ତ। ଏଥିସହିତ ନିର୍ବାଚନ କମିଶନର ନିଯୁକ୍ତି ଲାଗି ୨୦୨୩ର ଆଇନକୁ ରଦ୍ଦ କରିବାକୁ ସିଜେପି ଦାବି କରିବା ସହ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ଏକ ସ୍ବାଧୀନ ଚୟନ ପ୍ରକ୍ରିୟା ଆପଣାଇବାକୁ ଆହ୍ବାନ ଦେଇଛି।