ପୁଅର ଖଣ୍ଡାଚୋଟରେ ବାପା ମୃତ

ଛତ୍ରପୁର,୨୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗାଁ ମଠସାହିରେ ହତ୍ୟାକାଣ୍ଡ ଘଟିଛି। ବାପା ପାଣ୍ଡ ମହାଙ୍କୁଡ (୬୦)ଙ୍କୁ ପୁଅ ସଞ୍ଜୟ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି। ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଏସ୍‌ଆଇ ସିଲୁ ଧଳ ସୂଚନା ଦେଇଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଛତ୍ରପୁର ମେଡିକାଲକୁ ପଠାଇଛି। ହତ୍ୟାକାରୀ ପୁଅ ସଞ୍ଜୟଙ୍କୁ ଗ୍ରାମବାସୀ ଧରି ପୋଲିସକୁ ଜିମା ଦେଇଛନ୍ତି।

ମିଳିଥିବା ସୂଚନାନୁଯାୟୀ, ବାପା ପାଣ୍ଡ ମହାଙ୍କୁଡ଼ ଘରେ ଶୋଇଥିବା ବେଳେ ପୁଅଙ୍କ ଖଣ୍ଡାରେ ବୁଧବାର ଅପରାହ୍ନରେ ବେକକୁ ହାଣି ଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପାଣ୍ଡ କୁକୁଡ଼ା ଫାର୍ମରେ ରାତ୍ର ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ। ବାପା ଓ ପୁଅ ଦୁଇ ଜଣ ୨ଟି ସ୍ତ୍ରୀ ବିବାହ କରିଥିଲେ। କିନ୍ତୁ ସ୍ତ୍ରୀମାନେ ଛାଡ଼ି ଚାଲିଯାଇଥିଲେ। ବିଭିନ୍ନ ସମୟରେ ବାପା ଓ ପୁଅଙ୍କ ମଧ୍ୟରେ କଳହ ହେଉଥିଲା। ପୋଲିସ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି।