ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ନିରପେକ୍ଷ ତଦନ୍ତ ଦାବିକଲେ ବାପା

ଆନନ୍ଦପୁର,୧୯ା୨(ସ୍ବ.ପ୍ର.): ଘସିପୁରା ଥାନା ଅଧୀନ କେଶଦୁରାପାଳରେ ଏକ ବଧୂହତ୍ୟା ଘଟଣାକୁ ନେଇ ମାମଲା ରୁଜୁ ହୋଇଛି। କେସ୍‌ ନଂ ୪୧/୨୩ରେ ମାମଲା ରୁଜୁ ହୋଇଛି। ଢେଙ୍କାନାଳ ମୀନାବଜାର କୁମ୍ଭାରୀସାହିର ସନ୍ତୋଷ କୁମାର ସେନାପତିଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ସନ୍ତୋଷ ସେନାପତି ତାଙ୍କ ଝିଅ ସୂଚୀସ୍ବରୂପାଙ୍କଙ୍କୁ ଘସିପୁରା ଥାନା କେଶଦୁରାପାଳ ଗୋପୀନାଥ ବେହେରାଙ୍କ କନିଷ୍ଠ ପୁଅ ତ୍ରିଲୋଚନ ବେହେରାଙ୍କ ସହିତ ବିବାହ କରାଇଥିଲେ। ବିବାହ ଦିନଠାରୁ ଝିଅକୁ ଶାରୀରିକ ନିର୍ଯାତନା ଦିଆଯିବା ସହିତ ଅଧିକ ଯୌତୁକ ଦାବି କରି ଆସୁଥିଲେ। ଏପରିକି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ପୋଲିସ ଉପସ୍ଥିତିରେ ଉଭୟ ପକ୍ଷର ଭଦ୍ରଲୋକ ସମସ୍ୟାର ସମାଧାନ କରିଥିଲେ। ହେଲେ ଘଟଣାର କୌଣସି ସମାଧାନ ହୋଇପାରି ନ ଥିଲା। ଏଭଳି ପରିସ୍ଥିତିରେ ଝିଅର ମୃତ୍ୟୁକୁ ନେଇ ବାପା ଘସିପୁରା ଥାନାରେ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ମାମଲା ରୁଜୁ କରିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ଘସିପୁରା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ତଦନ୍ତ ଚାଲିଛି ହତ୍ୟା ସମ୍ପର୍କିତ ତଥ୍ୟ ହସ୍ତଗତ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।