ତେଜିଲା ଆନ୍ଦୋଳନ: ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାନ ଗଦାକଲେ ଚାଷୀ

ବରଗଡ଼ ଅଫିସ,୨୮ା୬: ବରଗଡ଼ ଜିଲାରେ ରବି ଧାନ ବିକ୍ରି ସମସ୍ୟା ଅସମାହିତ ହୋଇ ରହିଯାଇଛି। ମଣ୍ଡିକୁ ବିକ୍ରି ପାଇଁ ଚାଷୀମାନେ ଧାନ ଆଣୁଥିଲେ ସୁଦ୍ଧା ଟୋକନ ଅବଧି ଶେଷ, ଟୋକନରେ ତ୍ରୁଟି, ଧାନରେ ଆର୍ଦ୍ରତା, ଟାର୍ଗେଟ ଅଭାବ ଆଦି ଆଳ ଦେଖାଇ ଧାନ କିଣାଯାଉ ନାହିଁ। ଏହାକୁ ନେଇ ଅସନ୍ତୋଷ ବଢ଼ି ଚାଲି ଥିବାବେଳେ ଆନ୍ଦୋଳନ ମଧ୍ୟ ତେଜି ଉଠିଛି। ଏହି କ୍ରମରେ ସୋମବାର ବରଗଡ଼ ଜିଲା ଭେଡେନ ବ୍ଲକ ରେଶମ ପଞ୍ଚାୟତର ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଧାନ ବୋଝେଇ ଟ୍ରାକ୍ଟର ଧରି ଶତାଧିକ ଚାଷୀ ଜିଲା ଯୋଗାଣ ଏବଂ ଜିଲାପାଳ ଅଫିସରେ ପହଞ୍ଚିଛନ୍ତି। ଜିଲାପାଳ ଅଫିସ ମୁଖ୍ୟ ଫାଟକ ଆଗରେ ମଧ୍ୟ ଧାନ ଗଦା କରି ଚାଷୀମାନେ ଧାରଣାରେ ବସିଛନ୍ତି। ବିକ୍ରି ଅପେକ୍ଷାରେ ରହିଥିବା ସମସ୍ତ ଧାନକୁ କିଣିବା ସହିତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଦାବିରେ ଆନ୍ଦୋଳନ ଜାରି ରହିଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ ରହିଛି।