ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ): ଆଜି ମାର୍ଗଶିର ଗୁରୁବାର। ଘରେ ଘରେ ପାଳନ କରାଯାଉଛି ମାଣବସା ଗୁରୁବାର। ଅନ୍ୟପକ୍ଷରେ ଧାନ ବିକ୍ରି ପଞ୍ଜୀକରଣ ଦାବିରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଧାରଣା ଗୁରୁବାର ଚତୁର୍ଥ ଦିବସରେ ପହଞ୍ଚିଛି। ଚାଷୀମାନେ ମାଣବସା ଗୁରୁବାରରେ ନିଜ ଘରେ ଅନୁପସ୍ଥିତ ଥିଲେ ହେଁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣାରେ ମାଣବସା ଗୁରୁବାର ପାଳନ କରୁଛନ୍ତି। ବିଧିମତେ ମା’ ଲକ୍ଷ୍ମୀଙ୍କର ପୂଜା କରାଯାଇଛି। ଅମଳ ଧାନକୁ ମଧ୍ୟ ପୂଜାର୍ଚ୍ଚନା କରାଯାଉଛି।
ଧାରଣାସ୍ଥଳରେ ଚାଷୀମାନେ ଲକ୍ଷ୍ମୀ ପୁରାଣ ପଢୁଥିବା ବେଳେ ହୁଳହୁଳି ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ କମ୍ପାଇ ଦେଇଛନ୍ତି। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।


