ଧାନ ବସ୍ତା ସହିତ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସରଣ୍ଡା,୩୦।୬(ଡିଏନଏ): ରବି ଋତୁ ଯାଇ ଖରିଫ ଋତୁ ଆରମ୍ଭ ହୋଇଛି। ମାତ୍ର ବରଗଡ଼ ଜିଲାରେ ରବିଋତୁରେ ଅମଳ ଧାନକୁ ଚାଷୀ ବିକ୍ରି କରି ପାରି ନାହିଁ। ଅନ୍ୟପକ୍ଷରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଛି। ସେହିପରି ଧାନବିକ୍ରି ପାଇଁ ଉଦ୍ଦିଷ୍ଟ ଟୋକନ୍‌ ମଧ୍ୟ ଗାଏବ ହୋଇ ଯାଇଛି। ମଣ୍ଡିରେ ଧାନ ଗ୍ରହଣ କରାଯାଉ ନ ଥିବାବେଳେ କେତେକ ମଣ୍ଡିରେ ପୂର୍ବରୁ ପଡିଥିବା ଧାନକୁ ମଧ୍ୟ ଉଠାଯାଇ ନ ଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ମଙ୍ଗଳବାର ଜିଲାର ଅତାବିରା ଅଞ୍ଚଳର ଚାଷୀମାନେ ଧାନ ଭର୍ତ୍ତି ବସ୍ତା ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି (ଆରଏମସି) ସମ୍ମୁଖ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାଶର୍‌ବରେ ବହୁ ସଂଖ୍ୟାରେ ଯାନବାହାନ ଅଟକି ରହିଛି। ପୂର୍ବତନ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ସମେତ ବହୁସଂଖ୍ୟକ ଚାଷୀ ଆନ୍ଦୋଳନରେ ସାମିଲ ଅଛନ୍ତି। ଆନ୍ଦୋଳନସ୍ଥଳରେ ବ୍ୟାପକ ପୋଲିସ ମୁତୟନ ରହିଛନ୍ତି ।