ଅସ୍ଥାୟୀ ମନ୍ଦିରରେ ବିଜେ କଲେ ପଞ୍ଚଠାକୁରାଣୀ

ପୁରୁଷୋତ୍ତମପୁର,୪।୫(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ବୁଧବାର ଆରମ୍ଭ ହୋଇଛି। ଏଥିଲାଗି ସମଗ୍ର ସହର ଚଳଚଞ୍ଚଳ ହୋଇଉଠିଛି। ସମସ୍ତ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦର ଲହରୀ ଦେଖାଦେଇଛି। କରୋନା କଟକଣା ଯୋଗୁଁ ଦୀର୍ଘ ଚାରି ବର୍ଷ ପରେ ମା’ କନକା ଠାକୁରାଣୀଙ୍କ ସମେତ କାଳୁଆ, ତାରାତାରିଣୀ, କାଳୀ ଓ ଫୁଲ ସୁନ୍ଦରୀଙ୍କୁ ଏକତ୍ର ପାଖରେ ପାଇ ସହରବାସୀ ଆତ୍ମ ବିଭୋର ହୋଇ ପଡିଛନ୍ତି। ବଡବଜାର ଅସ୍ଥାୟୀ ମନ୍ଦିର ଠାର ରାତ୍ରରେ ବାଜବାଜଣାର ବିରାଟ ପଟୁଆରରେ ପରମ୍ପରା ଅନୁଯାୟୀ ଗୋପାଳ ସମ୍ପ୍ରଦାୟର ପାଞ୍ଚଜଣ ପୁରୁଷ ଫୁଲଚାଙ୍ଗୁଡି ଧରି ମା କନକା, କାଳୁଆ, ତାରାତାରିଣୀ, କାଳୀ ଙ୍କ ମୂଖ୍ୟ ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରି ଠାକୁରାଣୀ ଙ୍କୁ ଆବାହନ କରି ଆଣିଥିଲେ। ମାତ୍ର ଏକ ପୂର୍ବବିବାଦୀୟ ପରିସ୍ଥିତି ସହ ପ୍ରଶାସନିକ କଟକଣାରହିଥିବା କାରଣରୁ ମା’ ଫୁଲ ସୁନ୍ଦରୀଙ୍କୁ ମନ୍ଦିର ପରିବର୍ତ୍ତେ ଆସିକା-ହୁମ୍ମା ମୁଖ୍ୟ ରାସ୍ତାର କାଳୀ ମନ୍ଦିର ଛକ ନିକଟରେ ଥିବା ଏକ କଲଭର୍ଟ ଉପରୁ ଆମନ୍ତ୍ରଣ କରିଆଣିଥିଲେ। ଏହି ପଞ୍ଚ ଠାକୁରାଣୀଙ୍କୁ ସହର ପରିକ୍ରମା କରି ଆଣି ବିଳମ୍ବିତ ରାତ୍ରରେ ଅସ୍ଥାୟୀ ମନ୍ଦିରରେ ବିଜେ କରାଇ ପୂଜାର୍ଚ୍ଚନା କରାଯାଇଥିଲା।