ତିନିଜଣଙ୍କୁ ବିବାହ ସତ୍ତ୍ୱେ ଏକାକୀ ଜୀବନ ବିତାଉଛନ୍ତି ଏହି ପ୍ରସିଦ୍ଧ ଗାୟକ

ଲେଖକ, ଗାୟକ ତଥା ସଙ୍ଗୀତକାର ଲକି ଅଲ୍ଲୀ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହି ଆସୁଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ‘ହେ ସନମ’ ଗୀତ ଗାଇଥିବା ନଜର ଆସିଛନ୍ତି। ହାସ୍ୟ ଅଭିନେତା ମହମୁଦ୍‌ ଅଲ୍ଲୀଙ୍କ ପୁଅ ଲକି ତିନି ଜଣଙ୍କୁ ବିବାହ କରିଥିଲେ ମଧ୍ୟ ଆଜି ଏକାକୀ ଜୀବନ ବିତାଉଛନ୍ତି।

ଲକି ୧୯୫୮ ସେପ୍ଟେମ୍ବର ୧୯ ରେ ଜନ୍ମଗ୍ରହଣ କରିଥିଲେ। କୁହାଯାଏ ଯେ ପିତା ମହମୁଦଙ୍କ ସହ ତାଙ୍କର ସମ୍ପର୍କ ବିଶେଷ ଭଲ ନ ଥିଲା। ୧୯୯୬ ରେ ଲକିଙ୍କ ଡେବ୍ୟୁ ଆଲବମ ‘ସୁନୋ’ ମୁକ୍ତିଲାଭ କରିଥିଲା। ଲୋକେ ଏହି ଆଲବମକୁ ବହୁତ ପସନ୍ଦ କରିଥିଲେ। ଏଥିରେ ଅଭିନୟ କରିଥିବା ଅଭିନେତ୍ରୀ ମେଘ୍ନା ଜେନ ମକ୍କାଲାରିଙ୍କୁ ଲକି ପ୍ରଥମ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ କିଛି ବର୍ଷ ପରେ ଉଭୟ ଅଲଗା ହୋଇଯାଇଥିଲେ।

ଲକି କିଛି ବର୍ଷ ଏକୁଟିଆ ରହିବା ପରେ ପୂନର୍ବାର ଜଣେ ପାରସ ମହିଳାଙ୍କ ପ୍ରେମରେ ପଡ଼ିଥିଲେ। ସେ ଇନାୟା ନାମକ ଏହି ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ପରେ ସେ ଇନାୟାଙ୍କୁ ଛାଡପତ୍ର ଦେଇଥିଲେ।

୨୦୧୦ରେ, ଲକି ବ୍ରିଟିଶର ବ୍ୟୁଟି କୁଇନ୍‌ କେଟ୍‌ ଏଲିଜାବେଥଙ୍କୁ ଭେଟିଥିଲେ। ଦୁହିଁଙ୍କ ପ୍ରେମ ବିବାହ ପର୍ଯ୍ୟନ୍ତ ପହଞ୍ଚିଲା। ଲକିଙ୍କ ସହିତ ବିବାହ ପରେ, କେଟ୍‌ ତାଙ୍କ ନାମ ଆୟେଶା ଅଲ୍ଲୀକୁ ପରିବର୍ତ୍ତନ କରିଥିଲେ। ମାତ୍ର ପରେ ସମ୍ପକ ଭାଙ୍ଗି ଯାଇଥିଲା।

୬୨ ବର୍ଷ ବୟସରେ, ଲକି ବର୍ତ୍ତମାନ ଏକାକୀ ଅଛନ୍ତି। ଏବେ ସେ ବାଙ୍ଗାଲୋରରେ ସମୟ ବିତାଉଛନ୍ତି। ତାଙ୍କ ସହିତ ତାଙ୍କ ପିଲାମାନେ ମଧ୍ୟ ରହୁଛନ୍ତି।

Share