ସରିଲା ବଳଦଯାତ୍ରା

ଭୁବନ, ୧୭।୧୦(ଡି.ଏନ.ଏ.): କୋଭିଡ୍‌ କଟକଣା ମଧ୍ୟରେ ଶେଷ ହୋଇଛି ଭୁବନର ଐତିହାସିକ ବଳଦଯାତ୍ରା। ଶୁକ୍ରବାର ନିରାଡମ୍ବର ପରିବେଶରେ ଅନୁକୂଳ ଯାତ୍ରା ସମ୍ପନ୍ନ ହୋଇଥିବାବେଳେ ଶନିବାର ଘଣ୍ଟଘଣ୍ଟା, ହୁଳହୁଳି, ଶଙ୍ଖନାଦ ମଧ୍ୟରେ ମେଲାଣି ନେଇଛନ୍ତି ମା’। ଅନୁକୂଳଯାତ୍ରାରେ ଥୋରିଆ ଏବଂ ବଣିଆ ସମ୍ପ୍ରଦାୟର ୨ ବଳଦ ସାମିଲ ହୋଇଥିଲେ। ସନ୍ଧ୍ୟାରେ ମା’ ହିଙ୍ଗୁଳାଙ୍କ ପୀଠରୁ ଆଜ୍ଞାମାଳ ଅଣାଯାଇଥିଲା। ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝି, ଥାନା ଅଧିକାରୀ ପ୍ରଶାନ୍ତ ପାତ୍ର, ଶାନ୍ତି କମିଟିର ବରିଷ୍ଠ ସଦସ୍ୟଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବଣିଆ ସମ୍ପ୍ରଦାୟ ପକ୍ଷରୁ ଦଶହରା ବଳଦକୁ ସୁସଜ୍ଜିତ କରି ଜଗନ୍ନାଥ ମନ୍ଦିରକୁ ଅଣାଯାଇଥିଲା। ସେହିପରି ଥୋରିଆ ସମ୍ପ୍ରଦାୟର ବଳଦକୁ ବଡ଼ହାଟରେ ବନ୍ଦାପନା କରାଯାଇଥିଲା। ମା’ ବଣିଜାରିଙ୍କ ପୀଠରେ ଅନୁକୂଳ ଯାତ୍ରା ଶେଷ ହୋଇଥିଲା। ଶନିବାର ଶାନ୍ତିଶୃଙ୍ଖଳାର ସହ ଭୁବନର ୧୦ ପୂଜା ପ୍ରତିଷ୍ଠାନ ମା’ ଦୁର୍ଗାଙ୍କୁ ବିଦାୟ ଦେଇଛନ୍ତି।