ନିଖୋଜ ନାବାଳିକାକୁ ଖୋଜିବା ନେଇ ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକ

କେନ୍ଦୁଝର,୨୪।୪ (ସ୍ବ.ପ୍ର.) ଗତ ମାର୍ଚ୍ଚ ମାସ ୨୦ ତାରିଖରୁ ନିଖୋଜ ଥିବା ୧୫ ବର୍ଷ ନାବାଳିକାକୁ ସ୍ଥାନୀୟ ପୋଲିସ ଉଦ୍ଧାର କରିବାରେ ବିଫଳ ହେବାରୁ ଆଜି ସାରେ ତାଙ୍କ ବାପା ମାଧବ ଚରଣ ସୱାଇଁ ଓ ପରିବାର ସଦସ୍ୟ ଏସପି କେନ୍ଦୁଝର ମିତ୍ରଭାନୁ ମହାପାତ୍ରଙ୍କ କାର୍ଯ୍ୟାଳୟକୁ ଆସି ନିବେଦନ କରିଛନ୍ତି। ତାଙ୍କ ଘର ଘଷିପୁରା ଥାନା ବେଲବାହାଳି ଗ୍ରାମରେ ବୋଲି ଜଣା ପଡ଼ିଛି। ତାଙ୍କ ସହିତ ଭାଜପା ଜିଲା ପରିଷଦ ସଭ୍ୟ ଅସୀମା ମିଶ୍ର ଆସି ଏସପିଙ୍କୁ ଅଭିଯୋଗ ପତ୍ର ଦେଇ ସୁରକ୍ଷିତ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି। ଉକ୍ତ ଦିନ ହାଇସ୍କୁଲ ବୋର୍ଡ ପରୀକ୍ଷାର ଶେଷ ଦିନ ଥିଲା। ପରୀକ୍ଷା ଦେବାକୁ ଯାଇ ଆଉ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ ହେଁ ପାଇ ନ ଥିଲେ । ଘଷିପୁରା ଥାନା ଗୁହାଳିଆ ଗ୍ରାମର ଜଣେ ଯୁବକ ମନ୍ଦ ଉଦ୍ଦେଶ୍ୟରେ ତାଙ୍କୁ ଅନିଚ୍ଛା ସତ୍ତ୍ୱେ କୁଆଡେ ନେଇ ଯାଇଥିବା ଜାଣିବା ପରେ ମାର୍ଚ୍ଚ ୨୧ରେ ଘଷିପୁରା ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାରେ ବାରିଗାଁର ଜଣେ ବ୍ୟକ୍ତି ସହଯୋଗ କରିଥିବା ଜାଣି ପୋଲିସକୁ ସୂଚନା ଦେଇଥିଲେ। ତେବେ ସ୍ଥାନୀୟ ପୋଲିସ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ପରିବାର ଲୋକ ଆଶା ଆଶଙ୍କାରେ ରହୁଥିବା ଜିଲା ପରିଷଦ ସଭ୍ୟ ଶ୍ରୀମତୀ ମିଶ୍ର କହିଛନ୍ତି। ଘଷିପୁରା ପୋଲିସ କେସ ନମ୍ବର ୯୪/୨୦୨୩ ରେ କେସ ରୁଜୁ କରିଥିଲେ ହେଁ ଯୁବତୀ କୁ ଉଦ୍ଧାର କରି ନଥିବାରୁ କୌଣସି ଅଘଟଣ ଘଟିଲେ ପୋଲିସ ଦାୟୀ ରହିବେ ବୋଲି ପରିବାର ଲୋକ କହିଛନ୍ତି।