ଅନ୍‌ଲାଇନ୍‌ ଠକେଇର ଶିକାର ହେଲେ ଯନ୍ତ୍ରୀ

ଉମରକୋଟ,୯।୫(ସ୍ବ.ପ୍ର.): ଅନଲାଇନ୍‌ ଠକେଇର ଶିକାର ହୋଇଛନ୍ତି ଜଣେ ଯନ୍ତ୍ରୀ। ସେ ହେଲେ ଛତିଶଗଡ଼ ଦୁର୍ଗ୍‌ ଜିଲା ଅମ୍ଲେଶର ଏକେଏସ୍‌ ସ୍କାର୍ଟ ସିଟିର ଆଦିତ୍ୟ ମୋହନ ସିଂ। ଆଦିତ୍ୟ କିଛି ଦିନ ହେଲା ଉମରକୋଟ ନୂଆ ବସଷ୍ଟାଣ୍ଡ ନିକଟରେ ରହୁଛନ୍ତି। ସେ ଭାରତମାଳା ପ୍ରକଳ୍ପରେ ଚାଲିଥିବା ରାସ୍ତାକାମରେ ନିୟୋଜିତ ଅଛନ୍ତି।
ସୂଚନା ଅନୁଯାୟୀ, ମେ ୫ ତାରିଖରେ ଆଦିତ୍ୟଙ୍କ ମୋବାଇଲ ନଂ ୮୦୫୫୬୦୫୪୩୦ କୁ ନୌକ୍‌ରି ଡଟ୍‌ କମ୍‌ ନାମରେ ଏକ ଲିଙ୍କ୍‌ ଆସିଥିଲା। ସେ ଲିଙ୍କକୁ କ୍ଲିକ୍‌ କରିବା ପରେ ଏକ ଫର୍ମ ଆସିଥିଲା। ତାହାକୁ ପୂରଣ କରିବାକୁ କୁହାଯାଇଥିଲା। ଫର୍ମ ପୂରଣ ପରେ ୧୦ ଟଙ୍କା ପୈଠ କରିବାକୁ କୁହାଯାଇଥିଲା। ୧୦ ଟଙ୍କା ପୈଠ କରିବର କିଛି ସମୟ ମଧ୍ୟରେ ଆଦିତ୍ୟଙ୍କ କ୍ରେଡିଟ୍‌ କାର୍ଡରୁ ୨୦,୯୦୭ ଟଙ୍କା କଟି ଯାଇଥିଲା। ଏ ନେଇ ଆଦିତ୍ୟ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଚଳାଇଛି।