ଥମୁନି ହାତୀ ମୃତ୍ୟୁ: ଘୁମୁସର ବନଖଣ୍ଡରେ ହାତୀର ଜୀବନ ଗଲା

ଭଞ୍ଜନଗର,୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜ ଦୁର୍ଗାପ୍ରସାଦ ଜଙ୍ଗଲରେ ଏକ ହାତୀର ଶୁକ୍ରବାର ପ୍ରତ୍ୟୁଷରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବରପାଇ ଡିଏଫ୍‌ଓ ଅଭୟକାନ୍ତ ଦଳେଇ, ଏସିଏଫ୍‌ ସୁଦର୍ଶନ ବାଦୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ହାତୀଟି କେଉଁ କାରଣରୁ ମୃତ୍ୟୁବରଣ କରିଛି ସେନେଇ ସଠିକ୍‌ ଜଣାପଡ଼ିନାହିଁ। ହାତୀର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଜଙ୍ଗଲରେ ହାତୀର ମୃତ୍ୟୁ ଘଟିବା ପରେ ଅନ୍ୟ ହାତୀମାନେ ଦୀର୍ଘ ସମୟ ଧରି ତାକୁ ଘେରି ରହିଥିଲେ। ଏହା ଦେଖି ନିକଟରେ ଥିବା ଦୁର୍ଗାପ୍ରସାଦ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ। ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲୋକଙ୍କ ଭିଡ଼ ପରେ ମୃତ ହାତୀକୁ ଛାଡ଼ି ଅନ୍ୟ ହାତୀମାନେ ଜଙ୍ଗଲକୁ ଚାଲିଯାଇଥିଲେ। ବର୍ତ୍ତମାନ ହାତୀର ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।