ମନ୍ଦିର ପାଚେରୀ ଭାଙ୍ଗିଲେ ହାତୀପଲ

କେନ୍ଦୁଝର,୩୦।୫(ସ୍ବ.ପ୍ର): କେନ୍ଦୁଝରର ଏକ ମନ୍ଦିରରେ ମଙ୍ଗଳବାର ସକାଳୁ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ହାତୀପଲ କେନ୍ଦୁଝର ପୁରୁଣା ସହର ସିଦ୍ଧମଠ ପରିସରରେ ଥିବା ପ୍ରାୟ ୬୦୦ବର୍ଷ ପୁରୁଣା ସିଦ୍ଧ ଜଗନ୍ନାଥଙ୍କ ମନ୍ଦିରର ପାଚେରୀକୁ ଭାଙ୍ଗିି ପଶି ଆସିଛନ୍ତି। ମଠ ପରିସରରେ ଥିବା ପାଚିଲା ପଣସ ଖାଇବାକୁ ଯାଇ ହାତୀପଲ ପଶିଥିଲେ। ତେବେ ପାଚେରୀ ଭାଙ୍ଗି କାହାର କିଛି କ୍ଷତି ହୋଇ ନ ଥିବା ପୂଜକ କହିଛନ୍ତି।
ଏନେଇ ପ୍ରତ୍ୟକ୍ଷଦର୍ଶୀ ଭୋଗ ଦୋକାନୀ ହାଡିବନ୍ଧୁ ପ୍ରଧାନ କହିଛନ୍ତି, ସିଦ୍ଧମଠ ଜଙ୍ଗଲରେ କିଛି ଦିନ ହେଲା ତିନି ଛୁଆ ହାତୀକୁ ମିଶାଇ ୬ଟି ହାତୀ ବୁଲୁଛନ୍ତିା ସୋମବାର ବିଳମ୍ବିତ ରାତିରେ ହାତୀପଲ ସିଦ୍ଧମଠ ଅଞ୍ଚଳକୁ ଓହ୍ଲାଇ ଆସିଥିଲେ। ଭୋର ସକାଳ ପ୍ରାୟ ୪ ଟାରେ ସିଦ୍ଧ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ପଣସ ଗଛରୁ ପାଚିଲା ପଣସ ଖାଇବା ଲାଗି ଏକ ଛୁଆ ହାତୀ ପାଚେରୀକୁ ଅଧା ଭାଙ୍ଗି ପଶି ଆସିଥିଲା। ତେବେ ସେ ଆଉ ବାହାରି ପାରିଲା ନ ଥିଲା। ହାତୀ ଛୁଆକୁ ଉଦ୍ଧାର କରିବାକୁ ଦଳରେ ଥିବା ଅନ୍ୟ ହାତୀ ପାଚେରୀ ଭାଙ୍ଗିି ପଶିଥିଲେ। ଏବଂ ଛୁଆ ହାତୀକୁ ଟେକି ନେଇ ଯାଇଥିଲେ।
ସେଠାରୁ ବାହାରି ହାତୀପଲ ନିକଟରେ ଥିବା ପୋଡା ଉଆସ ସାହି ମୁହାଁ ହେବାରୁ ବନ ବିଭାଗ କର୍ମଚାରୀ ମାନେ ଘଉଡାଇ ଥିଲେ ବୋଲି ବନ ବିଭାଗ ପକ୍ଷରୁ ଜଣାପଡିଛି। ସିଦ୍ଧ ଜଗନ୍ନାଥଙ୍କ ସେବାୟତ ହରିହର ପାଢୀ କହିଛନ୍ତି ଯେ ଗତ ୧୨/୧୩ ଦିନ ହେଲା ହାତୀମାନେ ଏହି ଅଞ୍ଚଳରେ ବୁଲୁଛନ୍ତି। ଏଣୁ ଭୟରେ ରାତିରେ ତାଟି କବାଟ ପଡି ଯାଉଛି।