ଡ୍ରାଇଭରଙ୍କୁ ଜଙ୍ଗଲରେ ବାନ୍ଧି ଟ୍ରକ୍‌ ଲୁଟ୍‌

କାମାକ୍ଷାନଗର/ଭୁବନ, ୨୨।୫(ଡି.ଏନ୍‌.ଏ.): ବୋଲେରୋ, ବାଇକ୍‌ରେ ଆସିଲେ। ରାସ୍ତାରେ ସୃଷ୍ଟି କଲେ ଆତଙ୍କରାଜ। କୋଇଲା ବୋଝେଇ ଟ୍ରକ୍‌କୁ ଅଟକାଇଲେ। ଡ୍ରାଇଭରଙ୍କୁ ଗାଡ଼ିରୁ ଟାଣି ନେଇ ଜଙ୍ଗଲରେ ବାନ୍ଧିଦେଲେ। ଆଉ ତା’ପରେ ଟ୍ରକ୍‌ ନେଇ ଚମ୍ପଟ ମାରିଲେ। ଢେଙ୍କାନାଳ ଜିଲା ଭୁବନ ଥାନା ଅଞ୍ଚଳରେ ଗତ ଶୁକ୍ରବାର ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶନିବାର ସକାଳେ ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ଶୁକ୍ରବାର ରାତିରେ ଅନୁଗୋଳ ଜିଲା ତାଳଚେରସ୍ଥିତ ହିଙ୍ଗୁଳା ମାଇନ୍ସରୁ କୋଇଲା ବୋଝେଇ କରି ଏକ ଟ୍ରକ୍‌ (ନଂ. ଓଡି ୩୫ସି ୮୯୮୪) ଯାଜପୁର ଜିଲା ଡୁବୁରୀ ଅଭିମୁଖେ ଯାଉଥିଲା। ଏହି ସମୟରେ ଏକ ବୋଲେରୋ ଏବଂ ୪ ବାଇକ୍‌ରେ ୬ ଜଣ ଦୁର୍ବୃତ୍ତ ୫୩ନଂ. ଜାତୀୟ ରାଜପଥର ଯମୁନାକୋଟ ନିକଟରେ ଉକ୍ତ ଟ୍ରକ୍‌କୁ ଅଟକାଇଥିଲେ। ଟ୍ରକ୍‌ ଚାଳକ ତଥା ଦେବଗଡ଼ ଜିଲା ରିଆମାଳ ଅଞ୍ଚଳର ବେଣୁଧର ଭୋଇ (୩୦)ଙ୍କୁ ନିକଟ ଜଙ୍ଗଲକୁ ନେଇଯାଇ ଗଛରେ ବାନ୍ଧିଦେଇଥିଲେ। ଏହାପରେ ଟ୍ରକ୍‌ ଲୁଟ୍‌ କରି ନେଇଯାଇଥିଲେ। ବେଣୁଧର ସାରା ରାତି ସେମିତି ଗଛରେ ବନ୍ଧା ହୋଇ ରହିଥିଲେ। ସକାଳେ ଜଙ୍ଗଲକୁ ଯାଇଥିବାବେଳେ କେତେଜଣ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସିତ ହେବା ପରେ ବେଣୁଧର ଭୁବନ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନେ ମାଡ଼ମାରି ତାଙ୍କ ନିକଟରୁ ମୋବାଇଲ, ଟଙ୍କା ନେଇଯାଇଥିବା ସେ କହିଛନ୍ତି। ସୂଚନା ପାଇ ପୋଲିସ ପହଞ୍ଚତ୍ ଘଟଣାସ୍ଥଳରେ ତଦନ୍ତ କରିଛି। ତେବେ ଖବର ଲେଖାଯିବା ଯାଏ ଅଭିଯୁକ୍ତ କିମ୍ବା ଟ୍ରକ୍‌ ଧରାପଡ଼ି ନ ଥିବା ଜଣାପଡ଼ିଛି। ଅନ୍ୟପଟେ ଅଭିଯୁକ୍ତଙ୍କୁ ଧରିବାକୁ କାମାକ୍ଷାନଗର, ଭୁବନ, ପରଜଙ୍ଗ ପୋଲିସକୁ ନେଇ ଏକ ସ୍କ୍ବାଡ୍‌ ଗଠନ କରାଯାଇଥିବା ଏସ୍‌ଡିପିଓ ରଞ୍ଜନ କୁମାର ଦେଓ ସୂଚନା ଦେଇଛନ୍ତି।
ଢେଙ୍କାନାଳ ଜିଲାରେ ପୁଣିଥରେ ସକ୍ରିୟ ହେଲେଣି ରାଜପଥ ଲୁଟେରା। ସେମାନେ ପୂର୍ବରୁ ପଥଚାରୀ, ବ୍ୟବସାୟୀଙ୍କୁ ଟାର୍ଗେଟ୍‌ କରୁଥିବାବେଳେ ଏବେ କୋଇଲା ବୋଝେଇ ଟ୍ରକ୍‌ ଉପରେ ନଜର ପକାଇଛନ୍ତି। ବ୍ୟସ୍ତବହୁଳ ଜାତୀୟ ରାଜପଥ ଉପରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ବଢ଼ାଇବା ସହ ସନ୍ଦିଗ୍ଧଙ୍କ ଉପରେ ନଜର ରଖିବାକୁ ସାଧାରଣରେ ଦାବି ହୋଇଛି।