୫୦ ଲକ୍ଷ ଟଙ୍କାର ବାଣ ବୋଝେଇ ଟ୍ରକ ଛାଡି ପଳାଇଲେ ଚାଳକ

ଧରାକୋଟ,୧୨ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ମୁଣ୍ଡମରାଇ ଗ୍ରାମ ନିକଟ କଲେଜସ୍ଥିତ ପାହାଡ଼ପାଖରୁ ଏକ ବାଣବୋଝେଇ ଟ୍ରକକୁ ବୁଧବାର ରାତିରେ ଧରାକୋଟ ପୋଲିସ ଜବତ କରିଛି। ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ପ୍ରକାଶ ଯେ, ଖବର ପାଇ ଆସିକା ଏସ୍‌ଡିପିଓଙ୍କ ଉପସ୍ଥିତିରେ ଧରାକୋଟ ଥାନାଧିକାରୀ ସହଦେବ ମହାପାତ୍ର ସଦଳବଳ ବୁଧବାର ରାତିରେ ଚଢାଉ କରି ପାହାଡ ନିକଟରୁ ଏକ ଟ୍ରକ ଜବତ କରିଥିଲେ। ପୋଲିସକୁ ଦେଖି ଚାଳକ ଦୌଡି ପଳାଇଥିଲେ। ଯାଞ୍ଚବେଳେ ଟ୍ରକ୍‌ରୁ ପ୍ରାୟ ୧୦୦ ପେଟି ବାଣ ମିଳିଥିଲା। ଟ୍ରକ୍‌ (ନଂ.ଓଆର୍‌୦୭ବି-୪୧୦୧) ସହ ବାଣ ଜବତ କରିଥିଲା ପୋଲିସ। ଯାହାର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଆକଳନ କରିଛି। ଧରାକୋଟ ଥାନାରେ ଏନେଇ ନଂ.୧୬୯/୨୦ରେ ମାମଲା ରୁଜୁ ହୋଇଛି। ବାଣଗୁଡ଼ିକୁ ଧରାକୋଟ ଥାନାରେ ରଖାଯାଇଥିବାବେଳେ କୋର୍ଟ ନିର୍ଦ୍ଦେଶ ଆସିଲା ପରେ ନଷ୍ଟ କରାଯିବ କିମ୍ବା ଅନ୍ୟ ପଦକ୍ଷେପ ନିଆଯିବ ବୋଲି ଧରାକୋଟ ଥାନାଧିକାରୀ କହିଛନ୍ତି।