ଜଳିଗଲା ଡ୍ରେସ ଦୋକାନ

ବ୍ରହ୍ମପୁର,୧୦ା୭(ସୁବାସ ଚନ୍ଦ୍ର ପାଢ଼ୀ): ବଡବଜାର ଥାନା ଅନ୍ତର୍ଗତ ଏକ ଡ୍ରେସ ଦୋକାନରେ ରବିବାର ବିଳମ୍ବିତ ରାତିରେ ଶର୍ଟ ସର୍କିଟରୁ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଭାରତ ସାଇକେଲ ମାର୍ଟ ନିକଟ ପାଇକବାଡ଼ି ସାହିରେ ଥିବା ଶ୍ରୀସାଇ ଗାର୍ମେଣ୍ଟସ ଜଳିଯାଇଛି। ଖବରପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଉକ୍ତ ଦୋକାନରେ ଥିବା ବିଭିନ୍ନ ନାମିଦାମୀ କମ୍ପାନୀର ପ୍ରାୟ ୨୦ରୁ ୨୫ ଲକ୍ଷ ଟଙ୍କାର ଡ୍ରେସ ପୋଡ଼ି ପାଉଁଶ ହୋଇଯାଇଛି। ଶର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି ବୋଲି ସହକାରୀ ଅଗ୍ନିଶମ ଅଧିକାରୀ ସନ୍ତୋଷ ପାଣିଗ୍ରାହୀ କହିଛନ୍ତି।
ରବିବାର ରାତିରେ ମାଲିକ ଦୋକାନ ବନ୍ଦ କରି ଘରକୁ ଚାଲିଯାଇଥିଲେ। ମଧ୍ୟରାତିରେ ସେହି ରାସ୍ତା ଦେଇ ଯାଉଥିବା କେତେଜଣ ଲୋକ ଉକ୍ତ ଦୋକାନରୁ ଧୂଆଁ ବାହାରୁଥିବା ଦେଖି ଅଗ୍ନିଶମ ବିଭାଗ ଓ ଦୋକାନ ମାଲିକଙ୍କୁ ଖବର କରିଥିଲେ। ବହୁ ସମୟ ଅଗ୍ନିଶମ ବିଭାଗର ଆଗ୍ନିକମାନେ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଉକ୍ତ ଦୋକାନରେ ଥିବା ଅଧିକାଂଶ ଡ୍ରେସ ଜଳିଯାଇଥିଲା।