ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ପୌରପରିଷଦ ପ୍ରଶାସନ ଓ ଉଠାଦୋକାନୀ ବ୍ୟବସାୟୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଲୋଚନାରେ ସମସ୍ତ ଦୋକାନୀ ରାସ୍ତା ପାର୍ଶରେ ବ୍ୟବସାୟ ନ କରି ଭେଣ୍ଡିଂ ଜୋନ ଭିତରେ ବସିବା ନେଇ ଆପୋଷ ବୁଝାମଣା ସହ ସହମତି ପ୍ରକାଶ ପାଇଥିବା ଜଣାପଡ଼ିଛି।
ଉଠାଦୋକାନୀ ସଂଘର ସଭାପତି ତଥା ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ବିଧାୟକ ଏବଂ ପୌରପରିଷଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୌରପରିଷଦର ଉପାଧ୍ୟକ୍ଷ ଜି. ପାପା ରାଓ ସମସ୍ତ ବ୍ୟବସାୟୀଙ୍କୁ ପ୍ରଶାସନ ସହିତ ସହଯୋଗ ନିମନ୍ତେ ଅନୁରୋଧ କରିଥିଲେ। ଏହି ଅବସରରେ କଂଗ୍ରେସ ନେତା ଭାଗୀରଥି ବେହେରା, ଉଠାଦୋକାନୀ ସଂଘର କାର୍ଯ୍ୟକାରୀ ସଭାପତି ଇଜୁ ଆମିନ ଖାନ, ପୌରପରିଷଦର ଅନେକ କାଉନ୍ସିଲର, ଅଧିକାରୀ, କର୍ମକର୍ତ୍ତା ଏବଂ ଜନସାଧାରଣ ଉପସ୍ଥିତ ଥିଲେ।